ପୂର୍ବତନ ମନ୍ତ୍ରୀ ଏବଂ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ଣୋଇକୁ ୧୯ ନଭେମ୍ବର ୨୦୨୫, ବୁଧବାର ଭାରତ ପ୍ରତ୍ୟର୍ପଣ କରାଯିବ । ବରିଷ୍ଠ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଆମେରିକା କର୍ତ୍ତୃପକ୍ଷ ତାଙ୍କୁ ଛାଡ଼ିବା ପରେ ସକାଳ ୧୦ଟାରେ ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦରରେ ପହଞ୍ଚିବେ ।
ଦିଲ୍ଲୀ ବିମାନବନ୍ଦରରେ ପୋଲିସ ଦଳ ମୁତୟନ କରାଯିବ
ଅଧିକାରୀଙ୍କ ଅନୁଯାୟୀ ସୁରକ୍ଷା, କାଗଜପତ୍ର ଏବଂ ଆଇନଗତ ପ୍ରକ୍ରିୟା ସମାପ୍ତ ହେବା ସୁନିଶ୍ଚିତ କରିବା ପାଇଁ ବିମାନବନ୍ଦରରେ ଦିଲ୍ଲୀ ପୋଲିସର ଅନେକ ଟିମ୍ ମୁତୟନ କରାଯିବ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “କେଉଁ ତଦନ୍ତକାରୀ ଏଜେନ୍ସି ତାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରିବ ଏବଂ ତାଙ୍କୁ ହେପାଜତକୁ ନେବ ସେନେଇ ଦିଲ୍ଲୀ ପୋଲିସ୍ ମୁଖ୍ୟାଳୟରେ ଆଲୋଚନା ଚାଲିଛି । ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ହିଁ ନିଷ୍ପତ୍ତି ନିଆଯିବ।”
ତଦନ୍ତକାରୀ ଟିମ୍ଙ୍କ ଅନୁଯାୟୀ, ଅନମୋଲ ବିଷ୍ଣୋଇଙ୍କ ବିରୁଦ୍ଧରେ ସାରା ଦେଶରେ ୩୨ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି । ଯେଉଁଥିରେ ରାଜସ୍ଥାନରେ କେବଳ ୨୦ଟି ମାମଲା ରହିଛି । ଏହି ମାମଲାଗୁଡ଼ିକ ଦାଦାବଟି ଆଦାୟ, ଅପହରଣ, ହତ୍ୟା ଉଦ୍ୟମ ଏବଂ ଟାର୍ଗେଟ କିଲିଂ ଭଳି ଗମ୍ଭୀର ଅପରାଧ ସହିତ ଜଡିତ । ତେବେ କେଉଁ ଏଜେନ୍ସି ତାଙ୍କୁ ପ୍ରଥମେ ଗିରଫ କରି ହେପାଜତକୁ ନେବ ତାହା ନିଷ୍ପତ୍ତି କେନ୍ଦ୍ର ସରକାର ନେବେ ବୋଲି ଅଧିକାରୀଜଣକ କହିଛନ୍ତି ।
ବାବା ସିଦ୍ଦିକୀଙ୍କ ହତ୍ୟାର ମାଷ୍ଟରମାଇଣ୍ଡ
୧୨ ଅକ୍ଟୋବର, ୨୦୨୪ରେ ବାବା ସିଦ୍ଦିକୀଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ଅନମୋଲ ବିଷ୍ଣୋଇ । ତଦନ୍ତ ସମୟରେ, ପୋଲିସ ଗିରଫ ହୋଇଥିବା ଅଭିଯୁକ୍ତଙ୍କଠାରୁ ଅନମୋଲଙ୍କ ସ୍ୱର ସହିତ ମେଳ ଖାଉଥିବା ଭଏସ୍ କ୍ଲିପ୍ ଜବତ କରିଥିଲା । ଯେଉଁଥିରେ ସେ ଆକ୍ରମଣକାରୀଙ୍କୁ ନିର୍ଦ୍ଦେଶ ଦେବା ଏବଂ ଉସୁକାଉଥିବା ଶୁଣାଯାଇଥିଲା । ତଦନ୍ତରୁ ଜଣାପଡିଛି ଯେ ଅନମୋଲ ବହୁ ବର୍ଷ ପୂର୍ବରୁ ଏକ ନକଲି ପାସପୋର୍ଟ ବ୍ୟବହାର କରି ଭାରତରୁ ପଳାଇ ଆସିଥିଲେ ।
ଅନମୋଲ ବିଷ୍ନୋଇଙ୍କୁ ଗତ ବର୍ଷ କାଲିଫର୍ଣ୍ଣିଆରେ ଅଟକ ରଖାଯାଇଥିଲା । କିନ୍ତୁ ପ୍ରକ୍ରିୟାଗତ ତ୍ରୁଟି ଯୋଗୁଁ ତାଙ୍କୁ ମୁକ୍ତ କରାଯାଇଥିଲା । ତାଙ୍କ ପାଖରେ ଏକ ରୁଷିଆନ୍ ପାସପୋର୍ଟ ମଧ୍ୟ ଥିଲା, ଯାହା ନକଲି ବୋଲି ସନ୍ଦେହ କରାଯାଉଛି। ସେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିବା ପାଇଁ ଏକ ଆନ୍ତର୍ଜାତୀୟ ଷଡ଼ଯନ୍ତ୍ର ସହିତ ଜଡିତ ବୋଲି ମଧ୍ୟ ବିଶ୍ୱାସ କରାଯାଉଛି ।
ତାଙ୍କ ଗିରଫଦାରୀ ପାଇଁ NIA ୧୦ ଲକ୍ଷ ପୁରସ୍କାର ଘୋଷଣା କରିଥିଲା। NIA ତାଙ୍କ ବିରୁଦ୍ଧରେ ଗ୍ୟାଙ୍ଗର ଆନ୍ତର୍ଜାତୀୟ କାର୍ଯ୍ୟକଳାପ ସହିତ ଜଡିତ ଦୁଇଟି ମାମଲାରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଛି ।

