ସଂଚାର ବ୍ୟୁରୋ: ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହିତ କଥା ହେଲେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ। ଗତକାଲି ଉଭୟେ କଥା ହୋଇଛନ୍ତି। ଆତଙ୍କବାଦ ବିରୋଧରେ ଲଢ଼େଇରେ ଆମେରିକା ଭାରତକୁ ପୁରା ସମର୍ଥନ କରେ ବୋଲି ସେ କହିଛନ୍ତି। ଜୟଶଙ୍କରଙ୍କ ସହ କଥା ହେବା ବେଳେ ଭାରତ ପ୍ରତି ତାଙ୍କର ସମର୍ଥନ ଥିବା ସେ କହିଥିଲେ। ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିଥିଲେ। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ଟାମି ବ୍ରୁସଙ୍କ ଅନୁଯାୟୀ, ସେ ଆତଙ୍କବାଦ ବିରୁଦ୍ଧରେ ଭାରତ ସହିତ ସହଯୋଗ ପାଇଁ ଆମେରିକାର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେହିପରି ପାକ୍ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସେ ଫୋନ୍ କରିଥିବା ଜଣାପଡ଼ିଛି। ପହଲଗାଓଁର ଦୋଷୀଙ୍କୁ ଦଣ୍ଡ ଦେବାରେ ଭାରତକୁ ସାହାଯ୍ୟ କରିବାକୁ, ତଦନ୍ତରେ ସହାୟତା କରିବାକୁ ସେ ପାକିସ୍ତାନକୁ ଆହ୍ଵାନ ଦେଇଛନ୍ତି। ତେବେ ସଂଯମର ସହିତ ସବୁ କାମ କରିବାକୁ ପରାମର୍ଶ ଦେଇଛନ୍ତି ମାର୍କୋ ରୁବିଓ।