ସଂଚାର ବ୍ୟୁରୋ: ବାତ୍ୟା ଦାନା ସମୟରେ ଜଣେ ରୋଗୀଙ୍କୁ ଉଦ୍ଧାର କରି ଜୀବନ ବଞ୍ଚାଇଥିବା ମାନସ ମଲ୍ଲିକ ଏବେ ଚର୍ଚ୍ଚାରେ । ଗତ ୨୪ ଏବଂ ୨୫ ତାରିଖ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳରେ ତାଣ୍ଡବ ରଚିଥିଲା ବାତ୍ୟା । ସେହି ସମୟରେ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଉଥିଲେ ମଧ୍ୟ ଚିଞ୍ଚିରି ଗ୍ରାମର ଇତିଶ୍ରୀ ରାଉତ ନାମକ ୧୮ ବର୍ଷୀୟା ଜଣେ ମହିଳା ବାତ୍ୟା ସମୟରେ ଆହତ ହୋଇ ଅଚେତ ହୋଇପଡ଼ିଥିଲେ । ତୁରନ୍ତ ମହିଳାଙ୍କୁ ମେଡ଼ିକାଲ ନେବା ପାଇଁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ପରିବାର ଲୋକ । ହେଲେ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଗାଁକୁ ଯିବାକୁ ରାସ୍ତା ନଥିଲା ଯାହା ଫଳରେ ମହିଳାଙ୍କୁ ମେଡ଼ିକାଲ ନେବାକୁ ଚିନ୍ତିତ ହୋଇପଡ଼ିଥିଲେ । ସେହି ସମୟରେ ଦେବଦୂତ ସାଜିଥିଲେ ଆମ୍ବୁଲାନ୍ସ କର୍ମଚାରୀ ମାନସ । ନିଜେ ରୋଗୀଙ୍କୁ ହାତରେ ଟେକି ଟେକି ଏକ କିଲୋମିଟର ରୁ ଉର୍ଦ୍ଧ ରାସ୍ତା ଅତିକ୍ରମ କରି ମହିଳାଙ୍କୁ ରାଜନଗର ମେଡ଼ିକାଲ ନେଇଥିଲେ ଯାହା ଫଳରେ ଇତିଶ୍ରୀଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିଛି । ଏଭଳି କାର୍ଯ୍ୟ ପାଇଁ ମାନଶଙ୍କୁ ସାହସୀ ଯୁବକ ବୋଲି କହିବା ସହ ତାଙ୍କୁ ଏବେ ବିଭିନ୍ନ ଆଡୁ ସାବାସି ମିଳୁଛି । ଅନ୍ୟପଟେ ମାନସଙ୍କ ଘର ଗରଦପୁର ବ୍ଲକ ନଗରିପଡ଼ା ବୋଲି ଜଣାପଡିଛି । ଏହା ତାଙ୍କ କର୍ତ୍ତବ୍ୟ ବୋଲି ସେ କହିଛନ୍ତି ।