କାଳବୈଶାଖୀ ପାଇଁ ଆଲର୍ଟ ଜାରି । କୁଆପଥର ବର୍ଷା ସହ ଝଡ଼ ପବନ ନେଇ ଜାରି ହେଲା ସତର୍କତା । ଆଜି ବିଜୁଳି ଘଡ଼ଘଡ଼ି ସହ କୁଆ ପଥର ବର୍ଷା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଏବଂ ଭଦ୍ରକରେ କୁଆପଥର ବର୍ଷା ସମ୍ଭାବନା ରହିଛି । ଏହି ୪ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ବହିବା ସମ୍ଭାବନା ରହିଛି । ସେହିପରି ନୂଆ ପଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଜିଲ୍ଲାରେ କାଳବୈଶାଖୀ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି ।
ବିଜୁଳି ଘଡ଼ଘଡ଼ି ସହ କିଛି ଜିଲ୍ଲାରେ ୩୦ରୁ ୪୦ ଓ ଅନ୍ୟ କିଛି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ବର୍ଷା ଓ ଝଟକା ପବନ ପାଇଁ ମଧ୍ୟ ସତର୍କତା ଜାରି ହୋଇଛି । ଆସନ୍ତା ୪ ତାରିଖ ସକାଳ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ପାଇଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶା କୂଳ ସମୁଦ୍ର ଅଶାନ୍ତ ରହିଥିବାରୁ ଆଜି ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରାଯାଇଛି ।
