ସଂଚାର ବ୍ୟୁରୋ: ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି । ଅଧାରୁ ଉଡ଼ାଣ ବାତିଲ । ଫେରିଲେ ଯାତ୍ରୀ। ଭିଏନ୍ନାରେ ଅଟକି ରହିଲା ଦିଲ୍ଲୀରୁ ୱାସିଂଟନ ଯାଉଥିବା ଏୟାର ଇଣ୍ଡିଆ ବିମାନ AI103 । ବୁଧବାର ଦିଲ୍ଲୀରୁ ୱାସିଂଟନ ଅଭିମୁଖେ ବାହାରିଥିବା ଏୟାର ଇଣ୍ଡିଆ ବିମାନ ଇନ୍ଧନ ଭର୍ତ୍ତି ପାଇଁ ଅଷ୍ଟ୍ରିଆର ଭିଏନ୍ନାରେ ଅଟକିଥିଲା । ଇନ୍ଧନ ଭର୍ତ୍ତି ବେଳେ ଯାଞ୍ଚ ସମୟରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଫଳରେ ୱାସିଂଟନ୍ ଯାତ୍ରା ବାତିଲ କରାଯାଇଥିଲା। ଭିଏନ୍ନାରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା। ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବିମାନରେ ରିବୁକିଂ କିମ୍ବା ଟଙ୍କା ଫେରସ୍ତ ବ୍ୟବସ୍ଥା ହୋଇଛି ।
ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଏକାଧିକ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେଲାଣି । ଜୁନ ୧୪ରେ ଦିଲ୍ଲୀରୁ ଭିଏନ୍ନା ଯାଉଥିବା ଅନ୍ୟ ଏକ ଏୟାର ଇଣ୍ଡିଆ ଫ୍ଲାଇଟ AI187, ଉଡ଼ାଣ ବେଳେ ପ୍ରାୟ ୯୦୦ ଫୁଟ ତଳକୁ ଖସି ଆସିଥିଲା । ଏହାର ତଦନ୍ତ DGCA ଦ୍ବାରା କରାଯାଉଛି। ଏବେ ଦିଲ୍ଲୀ-ୱାସିଂଟନ ଏୟାର ଇଣ୍ଡିଆ ବିମାନ AI103ରେ ପୁଣି ଯାନ୍ତ୍ରିକ ତ୍ରୁଟି । ମରାମତି ନହେବା ପର୍ଯ୍ୟନ୍ତ ଭିଏନ୍ନାରେ ରହିବ ବିମାନ। ଯାତ୍ରୀଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛି ଏୟାର ଇଣ୍ଡିଆ ।