ପଡ଼ୋଶୀ ଦେଶ ନେପାଳରୁ ପୁଣି ଛାତିଥରା ଖବର ସାମ୍ନାକୁ ଆସିଛି। ନେପାଳର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ୍ ବନ୍ୟା ଦେଖାଦେଇଛି। ଯାହାକି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଗୋରଖା ଜିଲ୍ଲାରେ ନଦୀର ଜଳସ୍ତର ଅଚାନକ ବୃଦ୍ଧି ପାଇବାରୁ ତିନୋଟି ବଡ ପୋଲ ଭାସିଯାଇଛି ଏବଂ ଅନେକ ଘର ଭିତରକୁ ବନ୍ୟାଜଳ ପଶିଯାଇଛି।
ନେପାଳ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁଯାୟୀ, ଚୁମନୁବ୍ରି ଗ୍ରାମୀଣ ପୌରପାଳିକାର ୱାର୍ଡ ନଂ ୬ ଅନ୍ତର୍ଗତ ଲୋକପା ଏବଂ ଚୁମଲିଙ୍ଗ ମଧ୍ୟରେ ମାଟି ଓ ପଥର ଭୂସ୍ଖଳନ ଯୋଗୁଁ ନଦୀର ପ୍ରବାହ ବାଧାପ୍ରାପ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଆସିଥିବା ଏହି ବିଶାଳ ଜଳସ୍ରୋତ ବ୍ୟାପକ କ୍ଷତି ଘଟାଇଛି।
ଚୁମନୁବ୍ରି-୩ର ନ୍ୟାକଚେଟ୍-ସିର୍ଦ୍ଦିବାସ ଝୁଲା ପୋଲ, ଧାରଚେ-୫ର ମାଛାଖୋଲା-କେରାଉଜା ଝୁଲା ପୋଲ ଏବଂ ଆରୁଘାଟକୁ ସଂଯୋଗ କରୁଥିବା ସୋଟିର ଲୁହା ପୋଲ ସମ୍ପୂର୍ଣ୍ଣ ଭାସିଯାଇଛି। ମାଛାଖୋଲାର ତଳି ଅଞ୍ଚଳରେ ୫ରୁ ୭ଟି ଘର ଜଳବନ୍ଦୀ ସହ ହୋଇଥିବା ବେଳେ ସାଲେରୀର ୨୦ରୁ ୨୨ଟି ଘର ଏବେ ଗଭୀର ବିପଦ ମଧ୍ୟରେ ରହିଛନ୍ତି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ବିଭାଗ ‘ଏକ୍ସ’ (ପୂର୍ବତନ ଟ୍ୱିଟର) ମାଧ୍ୟମରେ ନଦୀ କୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଇଛି। ବିଶେଷକରି ତ୍ରିଶୂଳୀ ଦୋଭାନ ପର୍ଯ୍ୟନ୍ତ ନଦୀ କୂଳରୁ ଦୂରେଇ ରହିବାକୁ ଏବଂ ସୁରକ୍ଷିତ ତଥା ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

