ସଂଚାର ବ୍ୟୁରୋ: ଆଧାର କାର୍ଡ ସହ ଲିଙ୍କ୍ ହେବ ଭୋଟ ପରିଚୟ ପତ୍ର। କେନ୍ଦ୍ର ଗୃହ ସଚିବ ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ନେଇ ବସିଥିବା ବୈଠକରେ ହୋଇଛି ଏ ନିଷ୍ପତ୍ତି। ଆଧାର କାର୍ଡ ଏବଂ ଭୋଟ ପରିଚୟ ପତ୍ର ଲିଙ୍କ ନେଇ ଆଜି ନିର୍ବାଚନ ସଦନରେ ବସିଥିଲା ବୈଠକ। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା।ସମ୍ବିଧାନର ଧାରା ୩୨୬ ଅନୁସାରେ ଏହି ଦୁଇ ପରିଚୟପତ୍ରକୁ ଯୋଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରସଙ୍ଗ ନେଇ UIDAI ପ୍ରାଧିକରଣ ଏବଂ ନିର୍ବାଚନ ଆୟୋଗଙ୍କ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଆଗକୁ ଆଲୋଚନା ହେବ। ବର୍ତ୍ତମାନ ଆଧାର କାର୍ଡ ସହ ଭୋଟ ପରିଚୟପତ୍ର ସଂଯୋଗ କରାଯିବ। ସମ୍ବିଧାନ ଅନୁସାରେ ଆଧାର କାର୍ଡ ଏବଂ ଭୋଟର ପରିଚୟ ପତ୍ର ଯୋଡିବାକୁ ବ୍ୟବସ୍ଥା ରହିଛି।
ନିକଟରେ ସଂସଦରେ ଜାଲ ଭୋଟର କାର୍ଡ ପ୍ରସଙ୍ଗ ନେଇ ଜୋରଦାର ହଙ୍ଗାମା ହୋଇଥିଲା। ଏହାକୁ ନେଇ ବିଭିନ ରାଜନୈତିକ ଦଳ ନିର୍ବାଚନ ଆୟୋଗର ସ୍ଵଚ୍ଛତା ନେଇ ପ୍ରଶ୍ନ ଉଠାଇଥିଲେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏହି ପ୍ରସଙ୍ଗ ଉଠାଇଛନ୍ତି। ଦଶନ୍ଧୀ ଧରି ଜାଲ ଭୋଟ ପରିଚୟ ପତ୍ର ଗୁଡିକର EPIC ନମ୍ବର ସମସ୍ଯାକୁ ଆସନ୍ତା ୩ ମାସ ମଧ୍ୟରେ ସମାଧାନ କରିଦେବେ ବୋଲି କହିଥିଲେ ନିର୍ବାଚନ କମିଶନ। ଏହାପରେ ମୁଖ୍ୟ ନିର୍ବାଚନ ଆୟୋଗ ଭୋଟ ପରିଚୟ ପତ୍ରକୁ ଆଧାର ସହ ଯୋଡ଼ିବା ନେଇ ବୈଠକ ଡାକିଥିଲେ।