ସଂଚାର ବ୍ୟୁରୋ: ଓଡ଼ିଶାର ସୁନାମ ଧନ୍ୟ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ଅସୁସ୍ଥ । ଅଭିଜିତ୍ ଅସୁସ୍ଥ ଥିବା ନେଇ ସୂଚନା ମିଳିଛି । ବର୍ତ୍ତମାନ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି । ପ୍ରାରମ୍ଭିକ ଭାବେ ଏମ୍ସ ଟ୍ରମା କେୟାରରେ ଚିକିତ୍ସିତ ହେଉଛନ୍ତି । ପରେ ତାଙ୍କୁ କ୍ରିଟିକାଲ ଆଇସିୟୁକୁ ସ୍ଥାନାନ୍ତର କରାଯିବ । ବର୍ତମାନ ତାଙ୍କ ବ୍ରେନ୍ ରେ ସୋଡ଼ିଅମ୍ କମୁଛି । ନିଃଶ୍ୱାସ ନେବାରେ ତାଙ୍କର ସମସ୍ୟା ହେଉଛି । କିଡନୀରେ ମଧ୍ୟ ସମସ୍ୟା ମଧ୍ୟ ରହିଛି ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ କିଛି ଦିନ ହେବ ସେ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତୁରନ୍ତ କଟକର ସିଡିଏରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଦୀର୍ଘ ଦିନ ହେବ ଲିଭର୍ ଜନିତ ରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି । ଅଭିଜିତଙ୍କ ଶରୀରରେ ପୋଟାସିୟମ କମି ଯିବାରୁ ଗୁରୁତର ହୋଇପଡ଼ିଥିଲେ । ତେଣୁ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
କହିରଖୁଛୁ ଯେ, ଅନେକ ଓଡ଼ିଆ ଭଜନ, ରୋମାଣ୍ଟିକ୍ ଏବଂ ଆଇଟମ ଗୀତ ସଙ୍ଗୀତପ୍ରେମୀଙ୍କୁ ଭେଟିଦେଇଛନ୍ତି ନିର୍ଦ୍ଦେଶକ ଅଭିଜିତ ମଜୁମଦାର । କେବଳ ସେତିକି ନୁହେଁ, ଏକ ଘରୋଇ ଟେଲିଭିଜନ୍ କାର୍ଯ୍ୟକ୍ରମରେ ଉପସ୍ଥାପନା ପାଇଁ ଅଭିଜିତଙ୍କୁ ଖୁବ ଲୋକପ୍ରିୟତା ମିଳିଛି । ପ୍ରଶଂସକ ଏବଂ ସହକଳାକାରମାନେ ଅଭିଜିତଙ୍କୁ ‘ଦାଦା’ ନାମରେ ଡାକୁଥିବାରୁ ସେ ‘ଦାଦା’ ନାମରେ ବେଶ୍ ପରିଚିତ ।