ସଂଚାର ବ୍ୟୁରୋ: ଅନଲାଇନରେ ମହାପ୍ରସାଦ ବିକ୍ରି। ସୋସିଆଲ ମିଡିଆରେ ଏହାର ଏକ ଫଟୋ ଭାଇରାଲ ହୋଇଛି। ଅନ୍ନ, ଡାଲମା, ଡାଲି, ବେସର, ମହୁର ଯୋଗାଇ ଦିଆଯିବ ବୋଲି ଏଥିରେ କୁହାଯାଇଛି। ଥରେ ବରାଦ କଲେ ତାକୁ ଆଉ ବାତିଲ କରାଯାଇପାରିବନି। ରାତି ସାଢ଼େ ୧୦ ଟା ଯାଏ ବରାଦ କରି ହେବ। କେବଳ ସୋମବାର, ଗୁରୁବାର ଓ ଶନିବାର ଦିନ ସେବା ଯୋଗାଇ ଦିଆଯିବ। ମନ୍ଦିରର ନୀତିକାନ୍ତିରେ ବିଳମ୍ବ କିମ୍ବା ଯାନବାହନ ଯାତାୟତରେ ସମସ୍ୟା ହେଲେ ପୂର୍ବରୁ ସୂଚନା ଦିଆଯିବ ବୋଲି ମଧ୍ୟ ସୋସିଆଲ ମିଡିଆରେ କୁହାଯାଇଛି। ଅନୁମାନ କରାଯାଉଛି, ଅନଲାଇନ ସଂସ୍ଥା କିଛି ବ୍ୟକ୍ତିଙ୍କୁ ନିୟୋଜିତ କରି ଏହି କାମ କରାଉଛି। କିନ୍ତୁ ପ୍ରଶ୍ନ ଉଠୁଛି ଅନଲାଇନରେ ବରାଦ କରିଥିବା ଭକ୍ତ ଜଣକ ମହାପ୍ରସାଦ ପାଉଛନ୍ତି ତ, ନା ଠକେଇର ଶିକାର ହେଉଛନ୍ତି ? ଯଦି ଏହା ମହାପ୍ରସାଦ ହୋଇନଥାଏ, ତେବେ ଶ୍ରୀମନ୍ଦିର ଶବ୍ଦାବଳୀର ବ୍ୟବହାର ମଧ୍ୟ କରାଯାଇପାରିବ ନାହିଁ। ଏହାକୁ ନେଇ ପ୍ରକାଶ ପାଇଛି ଅସନ୍ତୋଷ। ଭକ୍ତଙ୍କ ଭାବାବେଗକୁ ନେଇ କିଛି ଲୋକ ବ୍ୟବସାୟ କରୁଛନ୍ତି। ଏହା ଉପରେ କଠୋର ଆଇନ ଆଣିବାକୁ ସେବାୟତମାନେ ଦାବି କରିଛନ୍ତି।

