ସଂଚାର ବ୍ୟୁରୋ: ଭୀଷଣ ରୂପରେ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବାତ୍ୟା ‘ଦାନା’। ପ୍ରଭାବ ଆଜିଠାରୁ ଅନୁଭୂତ ହୋଇଛି। ଅପରାହ୍ନଠାରୁ ଉପକୂଳ ଓଡ଼ିଶାର ଆକାଶ ମେଘାଚ୍ଛନ୍ନ ହେବା ସହ ତୁହାକୁ ତୁହା ବର୍ଷା ଲାଗିରହିଛି। ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହୁଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେ ସିଧାସଳଖ ପ୍ରଭାବ ଅନୁଭୂତ ହେଉଥିବା ବେଳେ ସଂଲଗ୍ନ ଜିଲ୍ଲାଗୁଡ଼ିକର ପାଗରେ ମଧ୍ୟ ପରିବର୍ତ୍ତନ ଆସିଛି। ରିପୋର୍ଟ ଲେଖାଯିବା ବେଳକୁ ବାତ୍ୟା ‘ଦାନା’ ପାରାଦୀପଠାରୁ ୩୩୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୩୬୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଭୀଷଣ ବାତ୍ୟା ରୂପରେ ୨୪ ତାରିଖ ମଧ୍ୟରାତ୍ରି ଓ ୨୫ ତାରିଖ ଭୋର ସୁଦ୍ଧା ଉପକୂଳ ଛୁଇଁବ। ବର୍ଷା ଓ ପବନର ପ୍ରଭାବ ୧୦ ଜିଲ୍ଲା ଉପରେ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରାଯାଇଛି।
ସେପଟେ ବାତ୍ୟା କେଉଁଠି ମାଡ଼ ହେବ ସେନେଇ ଭାରତୀୟ ପାଣିପାଗ ବିଭାଗ ଚିତ୍ର ସ୍ପଷ୍ଟ କରିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଓ ଭଦ୍ରକ ଜିଲ୍ଲାର ଧାମରା ମଧ୍ୟରେ ଭୀଷଣ ବାତ୍ୟା ରୂପରେ ‘ଦାନା’ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ। ୨୪ ତାରିଖ ମଧ୍ୟରାତ୍ରିରୁ ଲ୍ୟାଣ୍ଡ୍ଫଲ୍ ପ୍ରକ୍ରିୟା ଆରମ୍ଭ ହେବ, ଯାହାକି ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବ। ‘ଦାନା’ ଯେତେବେଳେ ସ୍ଥଳ ଭାଗ ଛୁଇଁବ ସେତେବେଳେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୨୦ କିମି ରହିଥିବ। ଭୀଷଣ ରୂପରେ ଆସୁଥିବା ‘ଦାନା’ ପ୍ରଭାବରେ ଉତ୍ତର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅତିରୁ ଅତିପ୍ରବଳ ବର୍ଷା ଜାରି ରହିବ। ସଂଲଗ୍ନ ଜିଲ୍ଲାଗୁଡ଼ିକରେ ଦୁଇ ଦିନ ଅତିପ୍ରବଳ ବର୍ଷା ହେବ। ତେବେ ସମୁଦ୍ର ଜୁଆରର ପ୍ରଭାବ ଉପକୂଳରେ ପଡ଼ିବ। ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲା ଯଥା କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଉପକୂଳରେ ସମୁଦ୍ର ଜୁଆର ୧ରୁ ୨ ମିଟର ଅଧିକ ଉଚ୍ଚ ରହିବ। ଜଗତସିଂହପୁର ଜିଲ୍ଲାରେ ୦.୫ରୁ ୧ ମିଟର ପର୍ଯ୍ୟନ୍ତ ଜୁଆର ଆସିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଛି।