ସଂଚାର ବ୍ୟୁରୋ: ନିଆଁରେ ଜଳି ପୋଡି ପାଉଁଶ ହୋଇଗଲା ଆଇଏଏସ ସ୍ବପ୍ନ । ବାପା ଓ ସାବତ ମାଆ ର ନିର୍ଯାତନାକୁ ସହି ନପାରି ନିଆଁରେ ନିଜେ ଜଳି ହୋଇ ମରିବାକୁ ବାଧ୍ୟ ହେଲେ ମେଧାବୀ ଛାତ୍ରୀ ରାଣୀ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଅଞ୍ଚଳରେ । ଗତକାଲି ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ଯୁବତୀ । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଯୁବତୀ ଜଣକ ବ୍ରହ୍ମପୁର ସଦର ଥାନା ଅଞ୍ଚଳର । ମେଟ୍ରିକ 78 ପ୍ରତିଶତ ମାର୍କ ରଖି ପାସ ହେବା ପରେ ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢିଥିଲେ । ଯୁକ୍ତ ଦୁଇରେ ମଧ୍ୟ ସମାନ ପ୍ରତିଶତ ମାର୍କ ରଖି ପାସ ହୋଇ ବ୍ରହ୍ମପୁରରେ ଯୁକ୍ତ ତିନି ବିଜ୍ଞାନ ପଢୁଥିଲେ । ଶେଷ ବର୍ଷର ଛାତ୍ରୀ ଥିଲେ । ପିଲାଟି ଦିନରୁ ମାଆକୁ ହରାଇ ବସିଥିବା ରାଣୀ, ସାବତ ମାଆଙ୍କ ନିକଟରେ ରହୁଥିଲେ । ବାପା ଅଶୋକ ପ୍ରଧାନ ଓ ସାବତ ମାଆ ଜ୍ୟସ୍ନା ନାୟକ ଝିଅଙ୍କ ଦାୟିତ୍ୱ ନେଉଥିଲେ । ଗତ କିଛି ବର୍ଷ ହେଲା ବାପା ଅଶୋକ ମଦପିଇ ଝିଅକୁ ମାନସିକ ନିର୍ଯାତନା ଦେଉଥିବା ନେଇ ମାନିଛନ୍ତି ସାବତ ମାଆ । ଗତକାଲି ଘରେ ମାଆ ନଥିବା ବେଳେ ବାପାଙ୍କ ସହ ଝିଅର ଝଗଡା ହୋଇଥିଲା । ପରେ ଝିଅ ରାଗି ଯାଇ ବାପାଙ୍କୁ ଟଙ୍କା ମାଗିଥିଲା । ସେହି ଟଙ୍କାରେ ନିକଟସ୍ଥ ଦୋକାନରୁ ପେଟ୍ରୋଲ କିଣି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଶରୀରରେ ଢାଳି ହୋଇ ଆତ୍ମ ହତ୍ୟା କରିବାକୁ ଉଦ୍ୟମ କରିଥିଲା । ହୁତୁହୁତୁ ହୋଇ ଜାଳିବା ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ଆଜି ସକାଳେ ରାଣୀଙ୍କ ମୃତ୍ୟୁ ହୋଇଥିବା ନେଇ ସାବତ ମାଆ ଜ୍ୟୋସ୍ନା ପ୍ରଧାନ କହିଛନ୍ତି । ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ବାପା ଅଶୋକ ପ୍ରଧାନଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଥିବା ବ୍ରହ୍ମପୁର ଏସପି କହିଛନ୍ତି ।