ଶୁକ୍ରବାର ଦିନ ମଧ୍ୟ ଆଫ୍ରିକୀୟ ଦେଶ କଙ୍ଗୋରେ ବଡ଼ ଅଘଟଣ ଘଟିଛି । ଏକ ସାମରିକ ବିମାନ ଦୁର୍ଘଟଣାରେ ଅତିକମରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଯେଉଁମାନଙ୍କ ମଧ୍ୟରେ ୨ ଜଣ ବରିଷ୍ଠ ସେନା ଅଧିକାରୀ ଥିବା ଜଣାପଡିଛି ।
ସୂଚନା ଅନୁସାରେ, ବିମାନଟି ଦକ୍ଷିଣ-ପଶ୍ଚିମ କିକ୍ୱିଟ୍ ସହରରୁ ଉଡ଼ାଣ ଭରି ରାଜଧାନୀ କିନଶାସା ଅଭିମୁଖେ ଯାଉଥିଲା । ସେହି ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଇଲଟ୍ କ୍ୱାଙ୍ଗୋ ପ୍ରଦେଶର କେଙ୍ଗେ ଅଞ୍ଚଳରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଅବତରଣ ପାଇଁ ଉପଯୁକ୍ତ ରନ୍ୱେ ନ ଥିବାରୁ ବିମାନଟି ନିୟନ୍ତ୍ରଣ ହରାଇଥିଲା । ଫଳରେ ବିମାନଟି ଏକ ଆବାସିକ ଅଞ୍ଚଳରେ ଖସିପଡ଼ିଥିଲା । ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗିଯାଇଥିଲା ଏବଂ ଘଟଣାସ୍ଥଳରେ ୨ ଜଣ ବରିଷ୍ଠ ସେନା ଅଧିକାରୀଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାରି ମଧ୍ୟରେ କଙ୍ଗୋ ସେନା ମୁଖପାତ୍ର ମେଜର ଜେନେରାଲ ଏଫୋମି ଆକେଙ୍ଗେ କହିଛନ୍ତି ଯେ ସାମରିକ ଅଦାଲତର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ମୁଟୋମ୍ବୋ କାଟାଲାଇ ଟିଆଣ୍ଡେ ଏବଂ ସଶସ୍ତ୍ର ବାହିନୀର ଅଡିଟର ଜେନେରାଲ ଲେଫ୍ଟନାଣ୍ଟ ଜେନେରାଲ ବାକୁମି ଲିକୁଲିଆଙ୍କର ମଧ୍ୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।
ଅନ୍ୟପଟେ ଏହି ଘଟଣା ପରେ କଙ୍ଗୋ ସରକାର ଦୁଃଖ ପ୍ରକାଶ କରିବା ସହ ଦୁର୍ଘଟଣାର କାରଣ ଖୋଜିବାକୁ ତଦନ୍ତ ଆରମ୍ଭ କରିଛନ୍ତି । ଦେଶର ବିମାନ ଦୁର୍ଘଟଣା ତଦନ୍ତ ସଂସ୍ଥା ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରୁଛି । ପ୍ରାଥମିକ ଭାବେ ଯାନ୍ତ୍ରିକ ତ୍ରୁଟିକୁ ଦୁର୍ଘଟଣାର ସମ୍ଭାବ୍ୟ କାରଣ ବୋଲି କୁହାଯାଉଥିଲେ ମଧ୍ୟ, ତଦନ୍ତ ଶେଷ ହେବା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ।
