ଏସିଆନ୍ ଗେମ୍ସରେ ଆଜି ଭାରତୀୟ ମହିଳା କ୍ରିକେଟ ଦଳ ବନାମ ଶ୍ରୀଲଙ୍କା ମହିଳା ଦଳ ଫାଇନାଲ ଫାଇଟ୍ । ସ୍ୱର୍ଣ୍ଣ ପଦକ ପାଇଁ ହେଉଛି ହାଇଭୋଲ୍ଟେଜ ମୁକାବିଲା । ଟି-୨୦ ଫାଇନାଲ ଟକ୍କରରେ ଭାରତୀୟ ମହିଳା ଟିମ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି । ଏସିଆ କପ୍ ଫାଇନାଲ ଭଳି, ଏସିଆନ୍ ଗେମ୍ସ ଫାଇନାଲରେ ବି ଶ୍ରୀଲଙ୍କାକୁ ହରାଇ ସ୍ଵର୍ଣ୍ଣ ଜିତିବା ଲକ୍ଷ୍ୟରେ ଭାରତୀୟ ମହିଳା କ୍ରିକେଟ ଟିମ୍ । ହରମନପ୍ରୀତଙ୍କ ନେତୃତ୍ୱରେ ଆଜି ଆଉ ଏକ ଐତିହାସିକ ପ୍ରଦର୍ଶନ ଉପରେ ଟିମ୍ ଇଣ୍ଡିଆର ନଜର ରହିଛି ।
- କ୍ରିଜ୍ରେ ଅଛନ୍ତି ଶେଫାଳୀ-ମାନ୍ଧାନା
ଓପନର ସ୍ମୃତି ମାନ୍ଧାନା ଓ ଶେଫାଳୀ ବର୍ମାଙ୍କ ଉପରେ ରହିବ ନଜର । ଆଜି ପୁଣି ଚମକିପାରେ ଶେଫାଳୀଙ୍କ ବ୍ୟାଟ । ଭାରତୀୟ ସମୟ ଦିନ ୧୦.୩୦ଟାରେ ମ୍ୟାଚ୍ ଆରମ୍ଭ ହୋଇସାରିଛି । ଗତ ଏସିଆନ୍ ଗେମ୍ସ କ୍ରିକେଟରେ ପ୍ରଥମ ଥର ପାଇଁ ପଦାର୍ପଣ କରିଥିବା ଭାରତୀୟ ମହିଳା ଦଳ ଦମ୍ ଦେଖାଇଥିଲା । ୨୦୨୨ରେ ଅନୁଷ୍ଠିତ ଉକ୍ତ ଏସିଆନ୍ ଗେମ୍ସ ରେ ଶ୍ରୀଲଙ୍କାକୁ ପରାସ୍ତ କରି ପ୍ରଥମ ଯୋଗଦାନରେ ହିଁ ସ୍ଵର୍ଣ୍ଣ ଜିତି ଭାରତୀୟ ମହିଳା କ୍ରିକେଟ ଦଳ ଉତ୍କୃଷ୍ଟତମ ପ୍ରଦର୍ଶନର ନଜାରା ଦେଖାଇଥିଲା ।
- ଏଥର ଜିତିଲେ ହାତେଇବ ଦ୍ଵିତୀୟ ସ୍ଵର୍ଣ୍ଣ ପଦକ
ତେବେ ଏଥର ଏସିଆନ୍ ଗେମ୍ସ ରେ ଭାରତ ଯଦି ଫାଇନାଲ ଫାଇଟ୍ରେ ବିଜୟ ଲାଭ କରୁଛି ତେବେ ଲଗାତାର ଦ୍ୱିତୀୟ ସ୍ଵର୍ଣ୍ଣ ଅର୍ଜନ କରିବାର ଗୌରବ ଅର୍ଜନ କରିବ । ଭାରତ ଏହି ମୁକାବିଲା ପାଇଁ ଟିମରେ କୌଣସି ପରିବର୍ତ୍ତନ କରିନାହିଁ । ଅନ୍ୟପଟେ ପ୍ରତିଶୋଧ ଲକ୍ଷ୍ୟରେ ସିଂହଳି ଟିମ୍ । ଏସିଆ କପ୍ ପରାଜୟର ପ୍ରତିଶୋଧର ନେତୃତ୍ୱ ନେବାକୁ ଜୋରଦାର ପ୍ରୟାସ କରିପାରେ ଶ୍ରୀଲଙ୍କାନ୍ ଓମେନସ୍ ଟିମ୍ ।
- ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି ଅଟାପାଟ୍ଟୁ
ଶ୍ରୀଲଙ୍କା ଅଧିନାୟିକା ଚମାରି ଅଟାପାଟ୍ଟୁଙ୍କ ୫୦ ବଲ୍ରୁ ଚମତ୍କାର ୮୨ ରନ୍ ଯୋଗୁଁ ଶ୍ରୀଲଙ୍କା ପାକିସ୍ତାନ ବିପକ୍ଷରେ ଏକ ଚ୍ୟାଲେଞ୍ଜିଂ ଟାର୍ଗେଟକୁ ସଫଳତାର ସହ ପିଛା କରିଥିଲା । ଭାରତ ଭଳି ଏକ ଶକ୍ତିଶାଳୀ ଦଳକୁ ପରାସ୍ତ କରିବା ପାଇଁ ଶ୍ରୀଲଙ୍କାକୁ ଏପରି ପ୍ରଦର୍ଶନର ଆହୁରି ଆବଶ୍ୟକତା ପଡ଼ିବ । ଭାରତୀୟ ଦଳ ସମସ୍ତ ବିଭାଗରେ ଉତ୍କୃଷ୍ଟ ଫର୍ମରେ ଅଛି । ଓପନରମାନେ ବିଶେଷକରି ଶେଫାଳୀ ବର୍ମା ଉତ୍କୃଷ୍ଟ ଫର୍ମରେ ଅଛନ୍ତି, ଯେତେବେଳେ କି ଦଳ ପରିଚାଳନା ତୃତୀୟ ନମ୍ବର ବ୍ୟାଟିଂ ସ୍ଥିତି ସହିତ ନିରନ୍ତର ପରୀକ୍ଷଣ କରୁଛି । ଇଣ୍ଡିଆନ ଟିମ ଜାପାନ ଓ ବାଂଲାଦେଶ ବିପକ୍ଷରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛି । ଭାରତ ଚଳିତ ମାସ ଆରମ୍ଭରୁ ଏସିଆ କପ୍ର ଫାଇନାଲରେ ଶ୍ରୀଲଙ୍କାକୁ ହରାଇଥିଲା । ତେବେ ଏହି ବିଜୟ ଧାରା ଜାରି ରହିବ ନା ଶ୍ରୀଲଙ୍କା ଟିମ ପ୍ରତିଶୋଧ ନେବ ତାହା ଉପରେ ନଜର ରହିଛି ।
