ଆସିଲା ବଡ଼ ଖବର। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୪ ଦିନ ବର୍ଷା। ସମୁଦ୍ରରୁ ଫେରି ଆସିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ। ଗତକାଲିଠୁ ଆରମ୍ଭ ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀର ଲେଉଟାଣି । ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହା କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଘନୀଭୂତ ହୋଇ ୨୧ରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ଏବଂ ୨୨ ତାରିଖ ବେଳକୁ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।”
ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖି ୨୩ ତାରିଖ ସକାଳ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟ ପଶ୍ଚିମ-କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ। ତେଣୁ ୨୨ ତାରିଖଠାରୁ ଓଡ଼ିଶା ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ମଝିରେ ମଝିରେ ପବନର ବେଗ ସର୍ବାଧିକ ୬୫ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି। ତେବେ ବାତ୍ୟା ସମ୍ପର୍କରେ ଆଇଏମ୍ଡି ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।”

