ରାଜ୍ୟରେ ବର୍ଷାର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି । ଅନେକ ସ୍ଥାନରେ ପାଗ ଶୁଖିଲା ରହିଛି । ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ଆଉ ବିଶେଷ ନଥିବାରୁ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ସହ ଚେତାବନୀ ମଧ୍ୟ ନାହିଁ । ତେବେ ୬ ଦିନ ଯାଏଁ ବର୍ଷା ସହ କୌଣସି ଚେତାବନୀ ନଥିବା ବେଳେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ପାଇଁ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
- ଆସନ୍ତା ୬ ଦିନ ପାଗ ଶୁଖିଲା
ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ତାର ପାଖାପାଖି ଅଞ୍ଚଳରେ ସକ୍ରିୟ ରହିଛି । ଏହାସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଉଚ୍ଚତା ସହ ଦକ୍ଷିଣ-ପଶ୍ଚିମ ଦିଗକୁ ରହିଛି । ଏଣୁ ଅନେକ ଜିଲ୍ଲାରେ ପାଗ ଶୁଖିଲା ରହିଛି । କିଛି କିଛି ସ୍ଥାନରେ ଖରା ମଧ୍ୟ ପ୍ରଖର ରହିଛି । ରାଜଧାନୀରେ ପାଗ ଶୁଖିଲା ରହିଥିବାବେଳେ ସାମାନ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଏପରି ପାଗ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ସେପ୍ଟେମ୍ବର ୮ ତାରିଖରେ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ଘଡ଼ଘଡ଼ି କିମ୍ବା ବିଜୁଳି ଜନିତ ବର୍ଷା ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
- ୯ରୁ ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷିବ
୬ ଦିନ ପରେ ଅର୍ଥାତ ସେପ୍ଟେମ୍ବର ୯ ତାରିଖ ବେଳକୁ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ ଏହି ୩ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।
