ଢ଼ାଳୁଛି, ଆହୁରି ଢ଼ାଳିବ । ଆଜିଠୁ ଆହୁରି ବଢ଼ିବ ବର୍ଷା । ଆସନ୍ତା ୧୨ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି ।
କେତେକ ସ୍ଥାନରେ ବିଜୁଳି, ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ବିଶେଷକରି କେନ୍ଦୁଝର ଓ ମୟୂରଭଞ୍ଜଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ୧୬ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ, ଘଡ଼ଘଡ଼ି ସହ ବିଜୁଳି ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଏହାକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବା, ବଜ୍ରପାତ ସମୟରେ ଗଛ ତଳେ ଆଶ୍ରୟ ନ ନେବା ଏବଂ ପାଣିପାଗ ବିଭାଗର ସତର୍କବାଣୀକୁ ମାନିବା ପାଇଁ ପରାମର୍ଶ ଦିଆଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୋଳ ଜିଲ୍ଲାର ତାଳଚେରରେ ସର୍ବାଧିକ ୮ ସେମି ବର୍ଷା ହୋଇଛି। ଆଗାମୀ କିଛି ଦିନ ଯାଏଁ ବର୍ଷାର ପ୍ରଭାବ ଜାରି ରହିବାରୁ ସମସ୍ତଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ଅନୁରୋଧ କରିଛି ।

