ଯଦି ଆପଣ UPI ବ୍ୟବହାର କରୁଛନ୍ତି ତେବେ ଏହା ସହିତ ଜଡିତ ନିୟମରେ ସରକାର ଶୀଘ୍ର ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ UPI ପୂର୍ବ ପରି ମାଗଣା ରହିଛି । ଦୋକାନୀମାନେ UPI ପେମେଣ୍ଟ ବଦଳରେ ମଧ୍ୟ କୌଣସି MDR ନେଉନାହାଁନ୍ତି । ଯଦି ଆପଣ ପ୍ରତିଦିନ UPI ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ କିଛି ପରିବର୍ତ୍ତନ ହୋଇନାହିଁ । ଆପଣ କୌଣସି ଅତିରିକ୍ତ ଦେୟ ବିନା ଆପଣଙ୍କର ମୋବାଇଲ ନମ୍ବର କିମ୍ବା UPI ID ବ୍ୟବହାର କରି QR କୋଡ୍ ସ୍କାନ୍ କରି ସହଜରେ ପେମେଣ୍ଟ କରିପାରିବେ । ସରକାର କୌଣସି ନୂଆ ଚାର୍ଜ ଲାଗୁ କରିନାହାଁନ୍ତି ଏବଂ କୌଣସି ତାରିଖ ମଧ୍ୟ ଘୋଷଣା କରିନାହାଁନ୍ତି । ସରକାରଙ୍କ ପ୍ରସ୍ତାବ କେବଳ ଆଇନ ସଂଶୋଧନ କରିବା ପାଇଁ ରହିଛି ଯାହା ଦ୍ୱାରା ଭବିଷ୍ୟତରେ ଆବଶ୍ୟକ ହେଲେ ସରକାର ନିୟମାବଳୀ ସ୍ଥିର କରିପାରିବେ ।
MDR ହେଉଛି ଏକ ଚାର୍ଜ । ଯାହା ସାଧାରଣତଃ ବ୍ୟବସାୟୀମାନେ ବ୍ୟାଙ୍କ ଏବଂ ପେମେଣ୍ଟ ସେବା ପ୍ରଦାନକାରୀଙ୍କୁ ଡିଜିଟାଲ ପେମେଣ୍ଟ ଗ୍ରହଣ କରିବାକୁ ପ୍ରଦାନ କରନ୍ତି । ବ୍ୟବସାୟୀମାନେ ଏହି ଖର୍ଚ୍ଚ ନିଜେ ଭରଣ କରିବାକୁ କିମ୍ବା ସାମଗ୍ରୀର ମୂଲ୍ୟରେ ଏହାକୁ ସାମିଲ କରିପାରିବେ । ଯାହା ସମ୍ପର୍ଣ୍ଣ ଭାବେ ସେମାନଙ୍କ ବାଣିଜ୍ୟିକ ନିଷ୍ପତ୍ତି । ସରକାର ପେମେଣ୍ଟ ଏବଂ ସେଟେଲମେଣ୍ଟ ସିଷ୍ଟମ୍ (PSS) ଆଇନ ୨୦୦୭ ରେ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି । ବର୍ତ୍ତମାନ, ଏହି ଆଇନ ଅନୁଯାୟୀ, UPI ଏବଂ RuPay ଡେବିଟ୍ କାର୍ଡ ଭଳି କିଛି ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ଉପରେ ଚାର୍ଜ ଲାଗୁ କରାଯାଇପାରିବ ନାହିଁ । ପ୍ରସ୍ତାବିତ ସଂଶୋଧନ ସହିତ ଏହି ନିଷ୍ପତ୍ତି ସିଧାସଳଖ ଆଇନରେ ସାମିଲ କରାଯିବ ନାହିଁ । ବରଂ ଆବଶ୍ୟକ ହେଲେ କେଉଁ ଡିଜିଟାଲ୍ ପେମେଣ୍ଟ ପଦ୍ଧତି ମାଗଣା ରହିବ ଏବଂ କେଉଁଗୁଡ଼ିକ MDR ଅଧୀନରେ ଆସିପାରେ ତାହା ନିର୍ଣ୍ଣୟ କରିଯିବ । ହେଲେ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ଚାର୍ଜ ଲାଗୁ କରାଯାଇନାହିଁ । ଭବିଷ୍ୟତ ପାଇଁ କେବଳ ଆଇନଗତ ବିକଳ୍ପ ପ୍ରସ୍ତୁତ କରାଯାଉଛି ।
ଗତ କିଛି ବର୍ଷ ମଧ୍ୟରେ UPIର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏବେ ପ୍ରତି ମାସରେ କୋଟି କୋଟି କାରବାର ହେଉଛି । କେବଳ ଜୁଲାଇ ମାସରେ UPI ମାଧ୍ୟମରେ ୨୩ ବିଲିୟନରୁ ଅଧିକ କାରବାର ପ୍ରକ୍ରିୟାକରଣ କରାଯାଇଥିଲା । ଯାହାର ମୋଟ ପରିମାଣ ପ୍ରାୟ ୩୦ ଲକ୍ଷ କୋଟି ଟଙ୍କା ଥିଲା। ଏତେ ବଡ଼ ବ୍ୟବସ୍ଥାକୁ ଚଲାଇବା ପାଇଁ ବ୍ୟାଙ୍କ୍, ପେମେଣ୍ଟ କମ୍ପାନୀ ଏବଂ ଅନ୍ୟ ଇନଷ୍ଟିଚ୍ୟୁସନର ଖର୍ଚ୍ଚ ବୃଦ୍ଧି ପାଉଛି । ୨୦୨୦ ମସିହାରେ MDRହଟାଇବା ପରେ ସରକାର ଏହି ଇନଷ୍ଟଚ୍ୟୁସନଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି । ତଥାପି, ଏକ ସଂସଦୀୟ କମିଟି କହିଛି ଯେ, ଏହି ପରିମାଣ ପ୍ରକୃତ ଖର୍ଚ୍ଚ ତୁଳନାରେ ଯଥେଷ୍ଟ କମ୍ । ତେଣୁ ଭବିଷ୍ୟତରେ ଆବଶ୍ୟକ ହେଲେ ସରକାର ଏକ ନୂତନ ପ୍ରକ୍ରିୟା କାର୍ଯ୍ୟକାରୀ କରିବାର ବିକଳ୍ପ ବଜାୟ ରଖିବାକୁ ଚାହାଁନ୍ତି ।
କାନୁନରେ ପରିବର୍ତ୍ତନର ଅର୍ଥ ଏହା ନୁହେଁ ଯେ MDR ସ୍ବୟଂଚଳିତ ଭାବେ ପୁନଃସ୍ଥାପିତ ହେବ । ଯଦିଓ ସଂସଦ ଏହି ସଂଶୋଧନକୁ ଅନୁମୋଦନ କରେ ତଥାପି ସରକାରଙ୍କୁ ଏକ ପୃଥକ ବିଜ୍ଞପ୍ତି ଜାରି କରିବାକୁ ପଡିବ । ଯେଉଁଥିରେ କେଉଁ ପ୍ରକାରର କାରବାର ପାଇଁ ଦେୟ ନିଆଯିବ, କେତେ ଏବଂ କେବେ ନିଆଯିବ ସେ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯିବ । ଯେପର୍ଯ୍ୟନ୍ତ ଏପରି ଏକ ସରକାରୀ ନିର୍ଦ୍ଦେଶ ଜାରି ନହୁଏ, UPI ପୂର୍ବ ପରି ମାଗଣା ରହିବ । ଯଦି ଭବିଷ୍ୟତରେ MDR ଲାଗୁ କରାଯାଏ ତେବେ ତାହାର ଅର୍ଥ ନୁହେଁ ଯେ ଗ୍ରାହକଙ୍କ ବ୍ୟାଙ୍କରୁ ଅଲଗା ପଇସା କାଟିଦିଆଯିବ ।
ବର୍ତ୍ତମାନ ସରକାର ଏପରି କୌଣସି ପ୍ରସ୍ତାବ ଦେଇନାହାଁନ୍ତି । କଥାପି ବଜାରରେ କିଛି ଆଲୋଚନା ହେଉଛି ଯେ ଯଦି ଭବିଷ୍ୟତରେ MDR ଲାଗୁ କରାଯାଏ ତେବେ ଛୋଟ ବ୍ୟବସାୟୀ ଏବଂ କମ୍ ପେମେଣ୍ଟ ପାଉଥିବା ଲୋକଙ୍କୁ ଛାଡ ମିଳିବ । ୨୦୦୦ରୁ ଅଧିକ କାରବାରକୁ ବିଚାର କରାଯାଇପାରେ, କାରଣ ଏହିପରି କାରବାର ସଂଖ୍ୟାରେ କମ୍ କିନ୍ତୁ ମୋଟ ପେମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ପରିମାଣ ପ୍ରତିନିଧିତ୍ୱ କରେ । ତଥାପି, ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ ।
ବର୍ତ୍ତମାନ, UPI ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ କୌଣସି ପରିବର୍ତ୍ତନ ହୋଇନାହିଁ । ଆପଣ କୌଣସି ଅତିରିକ୍ତ ଶୁଳ୍କ ବିନା ପୂର୍ବ ପରି ଡିଜିଟାଲ୍ ପେମେଣ୍ଟ କରିପାରିବେ । ଆଇନରେ ପ୍ରସ୍ତାବିତ ସଂଶୋଧନ କେବଳ ଭବିଷ୍ୟତରେ ଆବଶ୍ୟକ ହେଲେ ସରକାରଙ୍କୁ ନିୟମାବଳୀ ସ୍ଥିର କରିବାକୁ ସୁବିଧା ଦେବ । ଯେପର୍ଯ୍ୟନ୍ତ ସରକାର ଏକ ନୂତନ ନୋଟିସ୍ ଜାରି କରିନାହାଁନ୍ତି, UPI ସମ୍ପୂର୍ଣ୍ଣ ମାଗଣା ରହିବ । ତେଣୁ, ଆପଣଙ୍କୁ ଏବେ କୌଣସି ନୂତନ ଶୁଳ୍କ ଦେବାକୁ ପଡିବ ନାହିଁ ।

