ବର୍ଷା ବିପତ୍ତି, ବେହାଲ ଓଡ଼ିଶା । ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଏବେ ସାରା ଓଡ଼ିଶା ସମ୍ପୂର୍ଣ୍ଣ ବେହାଲ ହୋଇପଡ଼ିଛି । ଲଘୁଚାପ ପ୍ରଭାବରେ ଆହୁରି ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ୪ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
ବର୍ତ୍ତମାନ ସକ୍ରିୟ ରହିଥିବା ଲଘୁଚାପ ଗାଙ୍ଗେଟିକ ୱେଷ୍ଟ ବେଙ୍ଗଲ ସଂଲଗ୍ନ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ପାଖାପାଖି ରହିଛି । ଏହାର ପ୍ରଭାବରେ ଆହୁରି ୩ ଦିନ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲା ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ବରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ସେହିପରି ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଦେଓଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ଆଜି ପାଇଁ ବଲାଙ୍ଗୀର, ବରଗଡ଼, ନୂଆପଡା, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଏହି ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ଅନ୍ୟପଟେ ଆଉ ୨୪ ଘଣ୍ଟା ପାଇଁ ଓଡ଼ିଶା ଉପକୂଳରେ ମେଘୁଆ ପାଗ ସହ ୩୫ରୁ ୪୫ କିମି ବେଗରେ ପବନ ସହ ସର୍ବାଧିକ ୫୫ କିମି ପବନ ବହିବାର ସମ୍ଭାବନାକୁ ନେଇ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ୨୪ ଘଣ୍ଟା ପାଇଁ ଯିବାକୁ ବାରଣ କରାଯାଇଛି ।
ସେପଟେ ଜୁଲାଇ ୧୭ ଭିତରେ ୧୭ ପ୍ରତିଶତ ଅଧିକ ବର୍ଷା ହୋଇଛି । ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ସର୍ବାଧିକ ୧୩୨ ମିଲିମିଟର ବର୍ଷା ହେଇଛି । ପୁରୀରେ ମଧ୍ୟ ୧୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସାପୁଆରେ ୫୦ ବର୍ଷର ରେକର୍ଡ ବର୍ଷା ହୋଇଛି । ଯେଉଁଥିପାଇଁ ଛୋଟ ବନ୍ୟା ହୋଇଥିଲା । ଢେଙ୍କାନାଳ ଓ ଆଠଗଡ଼ର କିଛି ଅଂଚଳ ଜଳମଗ୍ନ ହୋଇଛି । ଆଖୁଆପଦାରେ ସତର୍କ ସଂକେତ ପାଖରେ ରହିଛି ପାଣି । ବର୍ଷା ବଢିଲେ ବିପଦ ସଂକେତ ଟପିପାରେ ।
ସେହିପରି ଜଳକାର ମଥାନିରେ ୬.୫ ମିଟର ଅର୍ଥାତ ବିପଦ ସଂକେତ ନିକଟରେ ରହିଛି ପାଣି । ଏଥିପାଇଁ ବାଲେଶ୍ୱରର କିଛି ଅଂଚଳ ପ୍ରଭାବିତ ହୋଇପାରେ । ଅଧିକ ବର୍ଷା ଯୋଗୁଁ ଶାଳନ୍ଦୀରେ ମଧ୍ୟ ଗୋଟିଏ ଗେଟ ଖୋଲା ଯାଇଛି । ହୀରାକୁଦ ଉପର ମୁଣ୍ଡରେ ଅଧିକ ବର୍ଷା ଯୋଗୁଁ କାଲି ସୁଦ୍ଧା ୭୦ ହଜାର କ୍ୟୁସେକ ଜଳ ଇନ ଫ୍ଲୋ ହେବ । ସ୍ଥିତି ଦେଖି ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯିବ । ବୌଦ୍ଧ ସୋନପୁରରେ ଭଲ ବର୍ଷା ଯୋଗୁଁ ମହାନଦୀରେ ପାଣି ବଢିବ । କାଲି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ୩ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ।

