ଆରବ ସାଗରରେ ଲଘୁଚାପ ସମ୍ଭାବନା । ପାଣିପାଗକୁ ନେଇ ଏକ ବଡ଼ ଅପଡେଟ୍ । IMD ପକ୍ଷରୁ ଉତ୍ତର ଭାରତ ମହାସାଗର ଅଞ୍ଚଳ ପାଇଁ ‘ସାଇକ୍ଲୋନ୍ ୱାଚ୍’ ଜାରି ହୋଇଛି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସମୁଦ୍ରରେ ଲଘୁଚାପ ବା ଅବପାତ ସୃଷ୍ଟି ହେବାର ସ୍ୱଳ୍ପରୁ ମଧ୍ୟମ ଧରଣର ସମ୍ଭାବନା ରହିଛି । ବିଶେଷ କରି ଆରବ ସାଗର ଉପରେ ପାଣିପାଗ ବିଭାଗ ନଜର ରଖିଛି। ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ ଆଜିଠୁ ୨୮ ତାରିଖ ପର୍ଯ୍ୟନ୍ତ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଏଥିସହ ସପ୍ତାହର ଆରମ୍ଭରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ମେଘ ସକ୍ରିୟ ରହିବା ସହ ବର୍ଷାର ପରିମାଣ ବଢ଼ିପାରେ ।
ସେହିପରି ମେ ୨୯ ରୁ ଜୁନ୍ ୪ରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ବେଶ୍ କମ୍ ରହିଛି । ମ୍ୟାଡେନ୍-ଜୁଲିଆନ୍ ଅସିଲେସନ୍ ଓ ଅନ୍ୟାନ୍ୟ ସାମୁଦ୍ରିକ ପରିବେଶ ବର୍ଷା ଓ ମେଘ ପାଇଁ ଅନୁକୂଳ ରହିଥିଲେ ବି ତୁରନ୍ତ କୌଣସି ବଡ଼ ବାତ୍ୟା ର ଆଶଙ୍କା ନାହିଁ । ତେବେ ଲଘୁଚାପ ଯୋଗୁଁ ଉପକୂଳ ଅଞ୍ଚଳରେ ପବନର ବେଗ ବଢ଼ିବା ସହ ସମୁଦ୍ର ଅଶାନ୍ତ ରହିପାରେ । ଭୁବନେଶ୍ୱର ସମେତ ସମଗ୍ର ଉପକୂଳ ଓଡ଼ିଶା ପାଇଁ ପାଣିପାଗ ବିଭାଗ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଓଡ଼ିଶାର କେତେକ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବଙ୍ଗୋପସାଗରରେ ହେଉଥିବା ହଲଚଲ୍ ଯୋଗୁଁ ଆଗାମୀ ଦିନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଗୋଟିଏ ପଟେ ଉପକୂଳରେ ବର୍ଷା ସମ୍ଭାବନା ଥିବାବେଳେ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିପାରେ । ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଉପକୂଳ ଅଞ୍ଚଳର ଲୋକଙ୍କୁ ସ୍ଥାନୀୟ ପାଣିପାଗ କେନ୍ଦ୍ରର ସୂଚନା ପ୍ରତି ସତର୍କ ରହିବାକୁ କୁହାଯାଇଛି । ବର୍ତ୍ତମାନ ଦେଶରେ ପ୍ରାକ୍-ମୌସୁମୀ ଓ ମୌସୁମୀ ଆଗମନର ସଂକ୍ରାନ୍ତିକାଳୀନ ସମୟ ଚାଲିଥିବାରୁ IMD ସ୍ଥିତି ଉପରେ କଡ଼ା ନଜର ରଖିଛି ।

