ନିଦ ଆମ ସମସ୍ତଙ୍କ ଜୀବନର ଏକ ଅତ୍ୟନ୍ତ ଜରୁରୀ ଅଂଶ। ଏହା ଆମ ଶରୀର ଓ ମନକୁ ଶକ୍ତି ଯୋଗାଇବା ସହ ସୁସ୍ଥ ରଖିବାରେ ସାହାଯ୍ୟ କରେ। କିନ୍ତୁ ଆପଣ ଜାଣିଛନ୍ତି କି ମହିଳାମାନଙ୍କୁ ପୁରୁଷମାନଙ୍କ ତୁଳନାରେ ଅଧିକ ନିଦ ଆବଶ୍ୟକ? ମହିଳାମାନଙ୍କ ଶରୀରରେ ହରମୋନ ଏବଂ ଜୀବନଶୈଳୀର ପରିବର୍ତ୍ତନ ଯୋଗୁଁ ସେମାନଙ୍କୁ ଅତିକମରେ ୨୦ ମିନିଟ୍ ଅଧିକ ନିଦ ଦରକାର। ଅଧିକ ନିଦ ମହିଳାଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ ।
ମହିଳାଙ୍କ ଜୀବନରେ ଋତୁସ୍ରାବ, ଗର୍ଭାବସ୍ଥା,ମେନୋପଜ୍ ଭଳି ପର୍ଯ୍ୟାୟଗୁଡ଼ିକ ହରମୋନରେ ଅନେକ ପରିବର୍ତ୍ତନ ଆଣିଥାଏ। ଏହି ପରିବର୍ତ୍ତନ ମହିଳାଙ୍କ ନିଦକୁ ବାଧାଦେଇଥାଏ । ଋତୁସ୍ରାବ ସମୟରେ ଅନିଦ୍ରା କିମ୍ବା ଅସ୍ୱସ୍ତି ଅନୁଭବ ହେବା ସାଧାରଣ। ଗର୍ଭାବସ୍ଥାରେ ଶାରୀରିକ ଅସୁବିଧା ଏବଂ ମେନୋପଜ୍ ସମୟରେ ହରମୋନ ଅସନ୍ତୁଳନ ଯୋଗୁଁ ମହିଳାମାନେ ଅନେକ ସମୟରେ ଭଲ ଭାବରେ ଶୋଇପାରନ୍ତି ନାହିଁ । ଏହି କାରଣରୁ ସେମାନଙ୍କୁ ପୁରୁଷମାନଙ୍କ ତୁଳନାରେ ଅଧିକ ଶୋଇବା ଆବଶ୍ୟକ ହୋଇଥାଏ। ବିଶେଷଜ୍ଞମାନଙ୍କ କହିବାନୁସାରେ ମହିଳାମାନେ ଦିନକୁ ୮ ଘଣ୍ଟାରୁ ଅଧିକ ଗଭୀର ନିଦରେ ଶୋଇବା ଉଚିତ୍, ଯାହା ସେମାନଙ୍କ ଶରୀରକୁ ଶକ୍ତି ଯୋଗାଇବା ସହ ହରମୋନକୁ ସନ୍ତୁଳିତ ରଖିବ ।
ଭାରତୀୟ ସମାଜରେ ମହିଳାମାନେ ପ୍ରାୟତଃ ଘର ଦାୟିତ୍ୱ ଯୋଗୁ ଅଧିକ ଚାପରେ ରହିଥାନ୍ତି। ସେମାନେ ସକାଳେ ଶୀଘ୍ର ଉଠି ଘରକାମ କରିବା ସହ ରାତିରେ ବିଳମ୍ବରେ ଶୋଇଥାନ୍ତି। ଏହା ସେମାନଙ୍କ ନିଦର ଗୁଣବତ୍ତାକୁ ପ୍ରଭାବିତ କରେ। ଅପର୍ଯ୍ୟାପ୍ତ ନିଦ ଯୋଗୁ ମହିଳାମାନେ ଦିନ ସାରା ଥକ୍କାପଣ, ଆଳସ୍ୟ ଏବଂ ଶକ୍ତିର ଅଭାବ ଅନୁଭବ କରନ୍ତି । ଅନେକ ସମୟରେ ମହିଳାମାନେ ନିଜର ସ୍ୱାସ୍ଥ୍ୟ ଅପେକ୍ଷା ଘର ଓ ପରିବାରକୁ ଅଗ୍ରାଧିକାର ଦେଇଥାନ୍ତି, ଯାହା ସେମାନଙ୍କ ନିଦକୁ ଆହୁରି କମାଇ ଦେଇଥାଏ ।
ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ମହିଳାମାନେ ନିଜର ନିଦକୁ ଅଗ୍ରାଧିକାର ଦେବା ଉଚିତ। ଯଦି ରାତିରେ ପୂର୍ଣ୍ଣ ନିଦ ସମ୍ଭବ ହେଉନାହିଁ, ତେବେ ଦିନ ସମୟରେ ନିଦର ଅଭାବ ପୂରଣ କରାଯାଇପାରେ। ଋତୁସ୍ରାବ କିମ୍ବା ଗର୍ଭାବସ୍ଥା ସମୟରେ ଅନିଦ୍ରା ସମସ୍ୟା ବୃଦ୍ଧି ପାଇଲେ, ଶୋଇବା ପୂର୍ବରୁ ହାଲୁକା ବ୍ୟାୟାମ, ଧ୍ୟାନ କିମ୍ବା ଗରମ ପାଣିରେ ଗାଧୋଇବା ଭଳି ଅଭ୍ୟାସ ନିଦକୁ ଉନ୍ନତ କରିପାରେ। ଏହା ସହ ଶୋଇବାର ଏକ ନିର୍ଦ୍ଦିଷ୍ଟ ସମୟ ଆପଣାନ୍ତୁ ଏବଂ ଶୋଇବା ପୂର୍ବରୁ ମୋବାଇଲ ଓ ଟିଭି ଭଳି ଇଲେକ୍ଟ୍ରୋନିକ୍ ଉପକରଣର ଠାରୁ ଦୂରେଇ ରୁହନ୍ତୁ ।
ତେଣୁ, ମହିଳାମାନେ ନିଜର ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେଇ ଦିନକୁ ଅତିକମରେ ୮ ଘଣ୍ଟା ୩୦ ମିନିଟ୍ ଭଲ ନିଦରେ ଶୋଇବା ଉଚିତ। ଏହା ସେମାନଙ୍କୁ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରଖିବା ସହ ସେମାନଙ୍କ ଜୀବନରେ ଅଧିକ ଶକ୍ତି ଓ ଉତ୍ସାହ ଯୋଗାଇବ।
