ରାଜ୍ୟରେ ଖରା ବର୍ଷା ମଧ୍ୟରେ ଲୁଚକାଳି ଖେଳ ହେଉଛି । ସକାଳ ହେବା ମାତ୍ରେ ଟାଣ ଖରା ହେଉଛି । ଲୋକେ ବାହାରକୁ ବାହାରି ଅସ୍ତବ୍ୟସ୍ତ ହେଉଛନ୍ତି । ସେପଟେ ଠିକ୍ ସଞ୍ଜ ନଇଁବା ମାତ୍ରେ ହଠାତ୍ ଯେପରି ପାଗର ମିଜାଜ୍ ବଦଳି ଯାଉଛି । କେଉଁଠୁ କେଜାଣି କଳା ହାଣ୍ଡିଆ ମେଘ ମାଡ଼ି ଆସୁଥିବାବେଳେ ହୁ ହୁ ଗର୍ଜନ କରି ପବନ ହେଉଛି । ଏହାରି ମଧ୍ୟରେ ପାଣିପାଗକୁ ନେଇ ରାଜ୍ୟବାସୀଙ୍କ ମନରେ ଆଶଙ୍କା ରହୁଛି । କାଲି ପାଗ କିପରି ରହିବ ସେ ସମ୍ପର୍କରେ ଜାଣିବା ଲାଗି ପ୍ରତିଦିନ ଖବର ଉପରେ ରାଜ୍ୟବାସୀ ନଜର ରଖୁଛନ୍ତି ।
ଆସନ୍ତାକାଲି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଜାରି କରିଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ପାବନ ହେବ ବୋଲି ପାଣିପାଗ ବିଭାଗ କହିଛି । କାଳବୈଶାଖୀ ପ୍ରଭାବ ସହ ଘଣ୍ଟା ପ୍ରତି ପବନର ବେଗ ୫୦ରୁ ୬୦ କିଲୋମିଟର ରହିବ । ଏ ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର ଓ ଭଦ୍ରକ ଜିଲ୍ଳା ।
ସେହିପରି ପ୍ରବଳ ବର୍ଷା ସହ କାଳବୈଶାଖୀ ଜନିତ ପ୍ରଭାବ ପାଇଁ ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ନୟାଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏ ସମସ୍ତ ଜିଲ୍ଲାର ବିଜୁଳି ଘଡ଼ଘଡି ସହ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବ ।
ଅନ୍ୟପଟେ କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ମଧ୍ୟ କାଳବୈଶାଖୀ ପ୍ରଭାବ ରହିବ । ପବନର ବେଗ ୩୦-୪୦ କିଲୋମିଟର ରହିବ । ଏଭଳି ପାଗ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ସୂଚନା ଦେଇଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ।
ବିଶେଷ କରି ଉତ୍ତର ଉପକୂଳ ଓଡ଼ିଶାରେ ବିଶେଷ ପ୍ରଭାଵ ଦେଖାଯିବା ସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଗଭୀର ମଧ୍ୟକୁ ଯିବାକୁ ବାରଣ ହୋଇଛି । ସେପଟେ ଗତ ୨୪ ଘଣ୍ଟାରେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ର ୩୯.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଆସନ୍ତା ୩ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।
