ଆସନ୍ତାକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆସନ୍ତା କାଲିରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ବେଳେ ଅଳ୍ପ କିଛି ସ୍ଥାନରେ କୁଆପଥର ବୃଷ୍ଟିର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହି ସମୟରେ ଝଟକା ପବନର ବେଗ ୪୦ରୁ ୫୦ କିମି ପ୍ରତି ଘଣ୍ଟା ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି। ଉପର ବାୟୁମଣ୍ଡଳରେ ବାୟୁ ପ୍ରବାହରେ ଅସଙ୍ଗତି ଏବଂ ଟ୍ରଫଲାଇନ ଅର୍ଥାତ୍ ନିମ୍ନଚାପ ରେଖା ପ୍ରଭାବରେ ଏହି ବର୍ଷା ହେବା ସମ୍ଭାବନା ଦେଖାଦେଇଛି ୟେଲୋ ଓ୍ବାର୍ଣ୍ଣି ଜାରୀ କରାଯାଇଛି ବୋଲି ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୁଚନା ଦେଇଛନ୍ତି।
ସେପଟେ ରାଜ୍ୟରେ ଉପରମୁହାଁ ପାରଦ।ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଓ ଉପକୂଳ ରେ ଗୁଳୁଗୁଳି ।ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟରେ ହିଟ ୱେଭ ଜାରି।ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ହିଟ ୱେଭ୍ ଆଲର୍ଟ ଜାରି କଲା ଆଂଚଳିକ ପାଣିପାଗ ବିଭାଗ। ପୁଣିଥରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଝାରସୁଗୁଡ଼ା। ସେଠାରେ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟସ୍ ରେକର୍ଡ ହେବା ସହ ହୀରାକୁଦ ୪୦.୨ ଡିଗ୍ରୀ,ସମ୍ବଲପୁର ୩୯.୯ ଡିଗ୍ରୀ,ରାଉରକେଲା ୩୮.୮ ଡିଗ୍ରୀ,ଭୁବନେଶ୍ବର ୩୪.୨ ଡିଗ୍ରୀ ରେକର୍ଡ କରାଯାଇଥିଲା।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଚଳିତ ସିଜନରେ ପ୍ରଥମ ଥର ପାଇଁ ରାଜ୍ୟର ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି। ୪୦.୮ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ତାପମାତ୍ରା ୩୯.୨ ଡିଗ୍ରୀ ରହିଛି। ସେହିପରି ସମ୍ବଲପୁର ଓ ସୁନ୍ଦରଗଡ଼ରେ ପାରଦ ୩୯ ଡିଗ୍ରୀ ଛୁଇଁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୮.୬ ଡିଗ୍ରୀ ଏବଂ କଟକରେ ୩୫.୬ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଛି। ରାଜ୍ୟର ପ୍ରାୟ ୨୫ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାରଦ ଆହୁରି ୨ ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟ ଉପରେ ରହିଥିବା ଟ୍ରପ୍ ଲାଇନ୍ ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର କିଛି କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଯାଇଛି। ଫଳରେ ଏହି ସବୁ ଅଞ୍ଚଳରେ ତାପମାତ୍ରା କିଛି କିଛି କମ୍ ରହିଥିଲା । ହେଲେ ଅବଶିଷ୍ଟ ଓଡ଼ିଶାରେ ପ୍ରବଳ ଖରା ସହ ଗରମ ଆରମ୍ଭ ହୋଇଯାଇଛି।
