ସଂଚାର ବ୍ୟୁରୋ: ଜଳବାୟୁ ପରିବର୍ତ୍ତନର ବଡ଼ ପ୍ରଭାବ । ଲଗାତାର ଲଘୁଚାପ ଆସୁଥିଲେ ବି ସଠିକ୍ ପରିମାଣର ବର୍ଷା ହେଉନି । ଯାହାଫଳରେ ଏବେ ବି ରାଜ୍ୟର କିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ଜାରି ରହିଛି । ଜଳବାୟୁ ପରିବର୍ତ୍ତନ କାରଣରୁ ବର୍ଷ ୨୦୨୫ରେ ପଛକୁ ପଛ ଓଡ଼ିଶା ମୁହାଁ ଗୋଟିଏ ପରେ ଗୋଟିଏ ଲଘୁଚାପ ଆସୁଛି । ତେବେ ଲଗାତାର ଭାବରେ ଲଘୁଚାପ ଆସି ୪ରୁ ୫ ଦିନ ଯାଏ ସକ୍ରିୟ ରହୁଛି । କିନ୍ତୁ ହେଉନି ଆବଶ୍ୟକୀୟ ପରିମାଣରେ ବର୍ଷା । ଯାହାକୁ ନେଇ ପାଣିପାଗ ବିଜ୍ଞାନୀ ଏବଂ ପରିବେଶବିତ୍ ମାନଙ୍କର ଚିନ୍ତା ବଢ଼ିଛି ।
ସେପଟେ ଆଜି ଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ । ଉତ୍ତର ପଶ୍ଚିମ ଦିଗରେ ସୃଷ୍ଟି ହୋଇଥିବା ଘୃର୍ଣ୍ଣିବଳୟ ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଆଡକୁ ଗତି କରିବ । ଏହାର ପ୍ରଭାବରେ ଉପକୂଳ ଅଞ୍ଚଳରୁ ବର୍ଷାର ପରିମାଣ କମିଯିବ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲା ଯେମିତି କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

