ସଂଚାର ବ୍ୟୁରୋ: ମୁମ୍ବାଇରେ ବର୍ଷାର ତାଣ୍ଡବ। ପ୍ରବଳ ବର୍ଷାରୁ ଘଟିଛି ଭୂସ୍ଖଳନ। ଭିକରୋଲିର ଏକ ଜନବସତିରେ ପାହାଡ଼ରୁ ମାଟି ଧସି ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟ ଦୁଇ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଭିକ୍ରୋଲି ଜନକଲ୍ୟାଣ ସୋସାଇଟିରେ ରାତି ପ୍ରାୟ ସାଢେ ୨ଟା ସମୟରେ ଭୂସ୍ଖଳନ ଘଟିଥିଲା, ଯେତେବେଳେ ଏକ ପାହାଡ଼ ପାଖରୁ ମାଟି ଏବଂ ପଥର ଏକ କୁଡ଼ିଆ ଉପରେ ପଡ଼ିଥିଲା।ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଭିତରେ ଥିବା ପରିବାରର ଚାରି ଜଣ ବାସିନ୍ଦା ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଅନ୍ୟ ଦୁଇ ଆହତଙ୍କୁ ରାଜାୱାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରବଳ ବର୍ଷାରୁ ପାଣିରେ ବୁଡିଛି ରାସ୍ତାଘାଟ। ଟ୍ରେନ ଲାଇନରେ ଜମି ରହିଛି ପାଣି। ସାନ୍ତାକ୍ହୁଜରେ ସର୍ବାଧିକ ୨୩୨ ମିଲମିଟର ବର୍ଷା ରେକର୍ଡ ହୋଇଛି। ଗତକାଲି ସାରା ରାତି ବର୍ଷା ଲାଗି ରହିଥିଲା। ଆଜି ସକାଳୁ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ଭିକ୍ରୋଲିରେ ସର୍ବାଧିକ 248 ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ସାନ୍ତାକ୍ରୁଜରେ ୨୩୨, ସିଓନରେ ୨୨୧, ଜୁହୁରେ ୨୦୮ ମିଳିମିଟର ବର୍ଷା ରେକର୍ଡ ହୋଇଛି। ବାନ୍ଦ୍ରାରେ ୧୭୩ ମିଲିମିଟର, ବାଇକୁଲାରେ ୧୫୮ ମିମି, ଚେମ୍ବୁରର ଟାଟା ପାୱାର ଷ୍ଟେସନରେ ୧୨୭ ମିଲିମିଟର ସହ କୋଲାବାରେ ୭୦ ମିମି ବର୍ଷା ରେକର୍ଡ ହୋଇଛି। ପ୍ରବଳ ବର୍ଷାରୁ ରାସ୍ତାରେ ଦୃଶ୍ୟମାନନତା ମଧ୍ୟ ହ୍ରାସ ପାଇଛି। ଅନେକ ମୁଖ୍ୟ ରାସ୍ତା ଜଳମଗ୍ନ ହୋଇଯାଇଛି। ଆଇଏମଡି ମୁମ୍ବାଇ ପାଇଁ ରେଡ୍ ଆଲର୍ଟ ଜାରି କରିଛି।