କର୍ନାଟକରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା l କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକର କୁଶପଲ୍ଲୀ ଗାଁର ଯୁବକଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ରବୀନ୍ଦ୍ର ସାହୁ (୨୫ ବର୍ଷ) । ସେ ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ ସିକ୍ୟୁରିଟି ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ତେବେ କୌଣସି କାରଣ ନେଇ ସେଠାକାର ଜଣେ ଯୁବକ ରବୀନ୍ଦ୍ରଙ୍କୁ ଗୋଡାଇ ଗୋଡାଇ ଏକ ଧାରୁଆ ଛୁରୀରେ ଆକ୍ରମଣ କରି ହତ୍ୟା କରିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି l
ସୂଚନାନୁଯାୟୀ, ବାପାଙ୍କ ମୃତ୍ୟୁବରଣ ପରେ ରବୀନ୍ଦ୍ର ପ୍ରାୟ ୧୧ ବର୍ଷ ଧରି ବାହାର ରାଜ୍ୟରେ କାମ କରି ଆସୁଥିଲେ । ପରିବାର କହିଲେ ମା ଆଉ ଦୁଇ ଭଉଣୀଙ୍କ ସହ ରବୀନ୍ଦ୍ର ଥିଲେ। ଏବେ ରବୀନ୍ଦ୍ରଙ୍କ ମୃତ୍ୟୁକୁ ନେଇ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି l ତେବେ ରବୀନ୍ଦ୍ର ଗତ ପାଞ୍ଚ ଦିନ ପୂର୍ବରୁ ଭଉଣୀର ବାହାଘର ପାଇଁ ଗାଁ କୁ ଛୁଟି ନେଇ ଆସିଥିଲେ l ଭଉଣୀର ବାହାଘର ସରିବା ପରେ ପୁଣି ସେହି କମ୍ପାନୀକୁ ଚାଲିଯାଇଥିଲେ । ତାଙ୍କର ନିଷ୍ଠାପର କାର୍ଯ୍ୟ ଲାଗି କମ୍ପାନୀ ପକ୍ଷରୁ ତାଙ୍କୁ ସିନିୟର ସିକ୍ୟୁରିଟି ସୁପରଭାଇଜର ଲାଗି ମନୋନୀତ କରିଥିଲେ ବୋଲି ଶୁଣିବାକୁ ମିଳିଛି l ହେଲେ କିଏ ଓ କାହିଁକି ରବୀନ୍ଦ୍ରକୁ ହତ୍ୟା କଲା ତାହା ଏବେବି ଅସ୍ପଷ୍ଟ ରହିଛି । ନିଜ ପୈତୃକ ଗାଁରେ ରବୀନ୍ଦ୍ରଙ୍କ ପାର୍ଥିବ ଶରୀର ପହଞ୍ଚିଲା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି