ସଂଚାର ବ୍ୟୁରୋ: ସକାଳୁ ହୋଇଥିଲା ଚଢ଼ାଉ, ଏବେ ହେଲେ ଗିରଫ । ୧ କୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଆଜି ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ସହିତ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏହା ସହିତ ଆହୁରି ୫ ଜଣଙ୍କୁ ଗିରଫ କରିବାକୁ ପ୍ରୟାସ କରୁଛି ଭିଜିଲାନ୍ସ।
ପରୀକ୍ଷିତ ଜେନା ମୟୂରଭଞ୍ଜ ଜିଲ୍ଲା ସୁଳିଆପଡ଼ା ବିଡିଓ ଥିବା ବେଳେ ତାଙ୍କ ସହଯୋଗୀମାନଙ୍କ ସହିତ ମିଶି ଏହି ଅର୍ଥ ହଡ଼ପ କରିଥିଲେ। ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ମିନେରାଲ ବିୟରିଂ ଏରିଆ ଡେଭେଲପମେଣ୍ଟ କର୍ପୋରେସନ (OMBADC) ପାଣ୍ଠିରୁ ଶ୍ରୀ ଜେନା ଓ ତାଙ୍କ ସହଯୋଗୀମାନେ ୧ କୋଟି ୧୯ ଲକ୍ଷ ୭୯ ହଜାର ୭୮୮ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଉପରୋକ୍ତ ଦୁଇଟି ଆର୍ଥିକ ବର୍ଷରେ ସୁଳିଆପଡ଼ା ବ୍ଲକରେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାମ ନାଁରେ ଏହି ଅର୍ଥ ହଡ଼ପ କରାଯାଇଛି। ବାସ୍ତବରେ ସେଭଳି କୌଣସି ଉନ୍ନୟନମୂଳକ କାର୍ଯ୍ୟ କରାଯାଇ ନଥିଲା ବୋଲି ଭିଜିଲାନ୍ସର ଖୋଳତାଡ଼ ପରେ ଜଣାପଡ଼ିଛି।