ସଂଚାର ବ୍ୟୁରୋ: ଜଣେ ଯୁବକଙ୍କୁ ଆଠ ଜଣ ଯୁବକଙ୍କ ଅତର୍କିତ ଭାବେ ଆକ୍ରମଣ । ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସୋର ଥାନା ଶିରାପୁର ଛକ ନିକଟରେ ଘଟିଛି ଅଭାବନୀୟ ଘଟଣା । ସୂଚନା ଅନୁସାରେ ସୋର ଥାନା ଶିରାପୁର ଗାଁର ଦୀପକ ଜେନା ଆଜି ସନ୍ଧ୍ୟାରେ ହନୁମାନ ଛକ ନିକଟରେ ଠିଆ ହୋଇଥିବା ବେଳେ ଆଠ ଜଣ ଯୁବକ ତିନୋଟି ବାଇକରେ ଆସି ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଆକ୍ରମଣରେ ଦୀପକଙ୍କ ହାତ ମୁଣ୍ଡ ଓ ଦେହର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତର ଖାନାକୁ ଆଣିଥିଲେ । ହେଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପାରିବାରିକ ଅଶାନ୍ତି କାରଣରୁ ତାଙ୍କ ଶାଳକ ଲୋକ ଲଗାଇ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।