ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ରବିବାର ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୨ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ଏଠାରେ ୧୧ ମହଲା ବିଶିଷ୍ଟ ଏକ ବିଲ୍ଡିଂରେ ହଠାତ୍ ନିଆଁ ଲାଗିଯିବାରୁ ୨ ଜଣ ମହିଳା ଏହା ସଂସ୍ପର୍ଶରେ ଆସିଥିଲେ । ଅନ୍ୟ ଦୁଇଜଣ ବ୍ୟକ୍ତି ଏଥିରେ ଶ୍ୱାସରୁଦ୍ଧ ହୋଇଯାଇଛନ୍ତି । ଉଭୟଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନା ମୁତାବକ, ଦକ୍ଷିଣ ମୁମ୍ବାଇର ମସଜିଦ୍ ବନ୍ଦର ଅଞ୍ଚଳରେ ଥିବା ଏହି ବିଲ୍ଡିଂରେ ସକାଳ ୬ଟା ୧୧ ମିନିଟରେ ଭୟଙ୍କର ଭାବରେ ଅଗ୍ନିକାଣ୍ଡ ଘଟିଥିଲା । କୋଠାର ତଳ ମହଲାରେ ଥିବା ମିଟର ଏବଂ ତାରରେ ପ୍ରଥମେ ନିଆଁ ଲାଗିଥିଲା । ପରେ ଏହା ଉଗ୍ର ରୂପ ଧାରଣ କରିଥିଲା । ଏହି ସମୟରେ ପ୍ରଥମ ମହଲାରେ ଥିବା ଦୁଇ ଜଣ ମହିଳା ନିଆଁ ସଂସ୍ପର୍ଶରେ ଆସିବାରୁ ସେମାନଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା ଏବଂ ପ୍ରବଳ ଧୂଆଁ ଯୋଗୁ ସେମାନେ ଶ୍ୱାସରୁଦ୍ଧ ହୋଇଯାଇଥିଲେ ।
ଗୁରୁତର ଭାବେ ପୋଡ଼ି ହୋଇ ଆହତ ହେବା ପରେ ୨ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲା । ୪ ୨ ବର୍ଷୀୟା ସବିଲା ଖାତୁନ୍ ଶେଖ୍ ଏବଂ ୩୦ ବର୍ଷୀୟା ସାଜିଆ ଆଲାମ୍ ଶେଖଙ୍କୁ ଡାକ୍ତରଖାନା ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହିପରି ଅନ୍ୟ ୨ ଜଣ ବ୍ୟକ୍ତି କରିମ୍ ଶେଖ (୨୦) ଓ ଶାହିନ ଶେଖ (୨୨) ନିଶ୍ୱାସ ନେବାରେ କଷ୍ଟ ଭୋଗିବା ପରେ ସେମାନଙ୍କୁ ସରକାରୀ ହସ୍ପିଟାଲ ପଠାଯାଇଛି । ସେଠାରେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି ।
ସକାଳ ପ୍ରାୟ ସାଢ଼େ ୬ଟା ସୁଦ୍ଧା ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ନିଆଁର ପ୍ରକୋପ ଏତେ ଥିଲା ଯେ କୋଠାଟି ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇଯାଇଛି ।