ସଂଚାର ବ୍ୟୁରୋ ଅବକାରୀ ବିଭାଗର କର୍ମଚାରୀଙ୍କ ନିସ୍ତୁକ ମାଡ଼ରେ ଜଣେ ଭିନ୍ନକ୍ଷମଙ୍କ ମୃତ୍ଯୁ ଅଭିଯୋଗ। ପରିବାର ଲୋକେ ଅଭିଯୋଗ କରିଛନ୍ତି, ଥାର୍ଡ ଡିଗ୍ରୀ ଓ ନିସ୍ତୁକ ମାଡ଼ ଯୋଗୁଁ ମୃତ୍ୟୁ ହୋଇଛି। ମୃତକ ହେଲେ ଢେଙ୍କାନାଳ ସଦର ଥାନା ଶଙ୍କରପୁର ଅଞ୍ଚଳର ସୂର୍ଯ୍ୟମଣି ସେନାପତି । ଗଂଜେଇ ରଖିଥିବା ଅଭିଯୋଗରେ ତାଙ୍କୁ ଗତକାଲି ଗିରଫ କରିଥିଲା ଅବକାରୀ ବିଭାଗ। କିନ୍ତୁ ସଂଧ୍ୟାରେ ସୂର୍ଯ୍ୟମଣିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଥିଲା। ଏହା ଜାଣିବା ପରେ ଡାକ୍ତରଖାନାକୁ ସୂର୍ଯ୍ୟମଣିଙ୍କୁ ଆଣିଥିବା ଅବକାରୀ ବିଭାଗର କର୍ମଚାରୀ ମେଡିକାଲରୁ ଚମ୍ପଟ ମାରିଥିଲେ। ପୋଷ୍ଟମର୍ଟମ ପରେ ମୃତ୍ଯୁର କାରଣ ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି। ତେବେ ଅଭିଯୋଗ ହୋଇଛି ମୃତଦେହରେ ଅନେକ କ୍ଷତ ଚିହ୍ନ ରହିଛି। ଏପରିକି ତାଙ୍କ ପ୍ୟାଂଟ ତଳୁ ରକ୍ତ ସ୍ରାବ ହୋଇଥିବା ଡାକ୍ତର କହିଛନ୍ତି। ସୂର୍ଯ୍ୟମଣିଙ୍କ ପତ୍ନୀ କହିଛନ୍ତି, ଅବକାରୀ ବିଭାଗର କର୍ମଚାରୀ ପିଟିପିଟି ମାରି ଦେଇଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପରିବାର।