ସଂଚାର ବ୍ୟୁରୋ: ଦନ୍ତା ହାତୀ ଆକ୍ରମଣରେ ନିୟମଗିରି ଡଙ୍ଗରିଆ ଯୁବକଙ୍କ ମୃତ୍ୟୁ । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଓ ମୁନିଗୁଡା ବ୍ଲକର ନିୟମଗିରି ପାହାଡ ସୀମାନ୍ତରେ । ମୃତ ଯୁବକ ଜଣକ ହେଲେ ଭଅଁରା କୁଟ୍ରୁକା । ଗତକାଲି ସନ୍ଧ୍ୟା ସମୟରେ ଭଅଁରା ଶିଵପଦର ପଞ୍ଚାୟତର ବାଞ୍ଜେଲିକାଖମ୍ବେସ ଗାଁରୁ ପାର୍ଶାଲି ପଞ୍ଚାୟତର ଲାଖପଦରରେ ରହୁଥିବା ମାଉସୀ ଘରକୁ ଯାଉଥିଲେ । ଅନ୍ଧାର ହୋଇଯିବାରୁ ହାତୀ ହାବୁଡରେ ପଡିଯାଇଥିଲେ ଭଅଁରା । ହାତୀଟି ଆକ୍ରମଣ କରିବାରୁ ସେ ଚିତ୍କାର କରିଥିଲେ । ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ କଲ୍ୟାଣସିଂହପୁର ଓ ମୁନିଗୁଡା ରେଞ୍ଜର ଶବକୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଛନ୍ତି । ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।