ଅଶୁଭ ସୋମବାର । ରାଜ୍ୟର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଦୁର୍ଘଟଣାରେ ୭ ଜଣଙ୍କ ଜୀବନ ଚାଲି ଯାଇଛି । କଳାହାଣ୍ଡିରେ ବାଇକ ଦୁର୍ଘଟଣାରେ ମାମୁଁ-ଭାଣିଜୀଙ୍କର ମୃତ୍ୟୁ ହୋଇଛି । ସେପଟେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଦୁଇଟି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଦୁର୍ଘଟଣାରେ ଦମ୍ପତ୍ତି ମୃତ
ପ୍ରାପ୍ତ ପ୍ରାଥମିକ ସୂଚନା ମୁତାବକ, କରଞ୍ଜିଆ ଅଞ୍ଚଳରେ ପୃଥକ ପୃଥକ ୨ଟି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ପ୍ରଥମେ କରଞ୍ଜିଆ ଥାନା କାଳିକାପୁର ଜଙ୍ଗଲ ନିକଟସ୍ଥ ଏନ୍ଏଚ୍-୨୨୦ର ବାଉନଶାଳ ନିକଟରେ ସ୍କୋର୍ପିଓ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକରେ ଥିବା ଦମ୍ପତ୍ତି ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ହିଁ ସେମାନଙ୍କର ପ୍ରାଣ ବାୟୁ ଉଡ଼ିଯାଇଛି । ମୃତ ଦମ୍ପତି ଜଶିପୁର ଥାନା ପାଣ୍ଠ ଗାଁର ହୋଇଥିବା ବେଳେ ସ୍କୋର୍ପିଓରେ ଥିବା ୨ ଜଣ ମହିଳା ଆହତ ହୋଇଛନ୍ତି । ସେମାନଙ୍କୁ କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ବସ୍-କାର୍ ମୁହାଁମୁହିଁ ଧକ୍କା
ସେହିପରି କରଞ୍ଜିଆ ଥାନା କାଦଡ଼ିହା ଜଙ୍ଗଲ ନିକଟରେ ଆଉ ଏକ ଦୁର୍ଘଟଣା ଘଟିଛି । ପ୍ରଶାନ୍ତି ନାମକ ଘରୋଇ ବସ ସହିତ ମାରୁତି ବ୍ରିଜା କାର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ କାରରେ ଥିବା ୩ଜଣଙ୍କ ମଧ୍ୟରୁ ୨ମୃତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସ୍ଥାନୀୟ ଲୋକେ ଗୁରୁତର ଜଣଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । କାରରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ହୋଇଥିବାବେଳେ କାର୍ ମାଲିକ ଭୁବନର ଅଟନ୍ତି । ମୃତକ ମାନେ ହେଲେ ଟୁନା ବଳ ସାମନ୍ତ, ନୀଳମଣି ସାହୁ ଏବଂ ସଞ୍ଜୟ ବଳ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ସମସ୍ତେ ଖଣି ବ୍ୟବସାୟୀ ଅଟନ୍ତି । ବ୍ୟବସାୟିକ କାମରେ ଯାଜପୁର ଠାକୁରମୁଣ୍ଡା ଅଭିମୁଖେ ଆସୁଥିବାବେଳେ ବସ୍ ସହ ଧକ୍କା ହୋଇଥିଲା । ତେବେ ବସରେ ଥିବା ଯାତ୍ରୀଙ୍କର ବିଶେଷ କିଛି କ୍ଷତି ହୋଇ ନାହିଁ । ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି କାର ଓ ବସକୁ ଜବତ କରିଛି ।
ଚାଲିଗଲେ ମାମୁୁଁ-ଭଣଜା
ଅନ୍ୟପକ୍ଷେ କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ବୁଡିପଦର ଛକରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏକ ଅଜଣା ପିକଅପ ଧକ୍କାରେ ମାମୁ, ଭଣଜାଙ୍କ ମୃତ୍ୟୁ ହୋଇଛି। । ମୃତକ ମାନେ ହେଲେ ଜୁନାଗଡ଼ ଥାନା ଚିକଲି ଗାଁର ମୁକେଶ ନାଗ ଓ ମାଟିଗାଁର ମହେନ୍ଦ୍ର ନାଏକ ବୋଲି ପରିଚୟ ମିଳିଛି କ୍ଷ ମୁକେଶ ନାଗ ଓ ମହେନ୍ଦ୍ର ନାଏକ ଏକ ବାଇକ ((ଓଡ଼ି୦୮ଭି ୭୧୧୨)ରେ ସେମାନେ ଜୁନାଗଡ଼କୁ ଯାଉଥିବାବେଳେ ବୁଡିପଦର ଛକ ଠାରେ ଏକ ଅଜଣା ପିକଅପ ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ ଥିବା ପିକଅପଟି ଘଟଣା ସ୍ଥଳରୁ ଫେରାର ମାରିଥିବା ଜଣାପଡିଛି । ଖବର ପାଇ ଜୁନାଗଡ଼ ପୋଲିସ ଘଟଣାର ତଦନୁ ଆରମ୍ଭ କରିଛି।

