ସଂଚାର ବ୍ୟୁରୋ: ବଢୁଛି ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅଡୁଆ । ଦାୟର ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମାମଲା । ତାଙ୍କ ବିରୋଧରେ ବର୍ତ୍ତମାନ ଆଉ ୫ଟି ନୂଆ ହତ୍ଯା ମାମଲା ରୁଜୁ ହୋଇଛି । ଫଳରେ ହସିନାଙ୍କ ବିରୋଧରେ ଦାୟର ହୋଇଥିବା ମାମଲା ସଂଖ୍ଯା ପହଞ୍ଚିଛି ୮୯ରେ । ଢାକ୍କାର ଚିଫ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ଏହି ମାମଲା ରୁଜୁ ହୋଇଛି । ସାରା ଦେଶରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ଗତ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ଚାଲିଆସିଥିଲେ ହସିନା । କୋଟା ବିରୋଧୀ ଆନ୍ଦୋଳନ ବେଳେ ୫ ଜଣଙ୍କୁ ହତ୍ଯା ଘଟଣାରେ ହସିନା, ପୂର୍ବତନ କ୍ଯାବିନେଟ ମନ୍ତ୍ରୀ, ଦଳର ସାଧାରଣ ସମ୍ପାଦକ ଓ ଅନ୍ଯ ୩୩୯ ଜଣଙ୍କ ବିରୋଧରେ ୫ଟି ହତ୍ଯା ମାମଲା ରୁଜୁ ହୋଇଛି ।
ଏହି ହିଂସାକାଣ୍ଡରେ ପ୍ରାଣ ହରାଇଥିଲେ ୬୦୦ରୁ ଅଧିକ ଲୋକ । ହସିନାଙ୍କ ଇସ୍ତଫା ପରେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଗଠିତ ହୋଇଛି ଅନ୍ତରୀଣ ସରକାର । ସେପଟେ ଆତଙ୍କବାଦୀ ସଂଗଠନ ହେଫାଜତ-ଇ-ଇସଲାମର ନେତା ମାମୁନୁଲ ହକଙ୍କ ସହ ୟୁନୁସଙ୍କ ସାକ୍ଷାତକୁ ନେଇ ବଢିଛି ବିବାଦ । ଏହି ଭେଟଘାଟ ବେଳେ ନିର୍ବାଚନ ସଂସ୍କାର ଓ ନିର୍ବାଚନ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ବଡକଥା ହେଉଛି ହେଫାଜତ-ଇ-ଇସଲାମ ସଂଗଠନ ଭାରତ ବିରୋଧରେ ସର୍ବଦା ମନ୍ତବ୍ଯ ଦେଇଆସୁଛି । ହସିନାଙ୍କ ରାଜତ୍ବ ସମୟରେ ହିଂସାକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଗିରଫ ହୋଇଥିଲେ ମାମୁନୁଲ ।
ମାତ୍ର ହସିନା ସରକାରର ପତନ ପରେ ତାଙ୍କୁ ମୁକ୍ତି ଦିଆଯାଇଛି । ସେହିପରି ଦେଶର ସର୍ବବୃହତ ଇସଲାମିକ ପାର୍ଟି ତଥା ଭାରତ ବିରୋଧୀ ସଂଗଠନ ଜମାଏତ-ଇ-ଇସଲାମି ସଂଗଠନ ଉପରେ ଜାରି ହୋଇଥିବା ନିଷେଧାଦଶକୁ ହଟାଇ ନେଇଛନ୍ତି ସରକାର । ତେଣେ ଜମାଏତ-ଇ-ଇସଲାମୀକୁ ପ୍ରଶଂସା କରିଛନ୍ତି ଚୀନ ରାଷ୍ଟ୍ରଦୂତ ୟାଓ ୱେନ। ଏହା ଏକ ସୁସଂଗଠିତ ରାଜନୈତିକ ଦଳ ବୋଲି ସେ କହିବାକୁ ନେଇ ବଢିଛି ଚର୍ଚ୍ଚା। ୨୦୧୦ ପରେ ପ୍ରଥମ ଥର ଲାଗି ଜଣେ ବିଦେଶୀ କୂଟନୀତିଜ୍ଞ ଭାବେ ୱେନ ଜମାଏତ ଅଫିସ ପରିଦର୍ଶନ କରିଛନ୍ତି।
ହସିନା ସରକାରର ପତନ ପରଠାରୁ ବହୁ ସଂଖ୍ଯାଲଘୁ ଶିକ୍ଷକ ଇସ୍ତଫା ଦେଇଥିବା ସୂଚନା ମିଳିଛି। ସେପଟେ ଶେଖ ହସିନାଙ୍କ ବିରୋଧରେ ଆନ୍ଦୋଳନ କରି ସଂଯୁକ୍ତ ଆରବ ଏମିରେଟସରେ ଗିରଫ ହୋଇଥିବା ୫୭ ଆନ୍ଦୋଳନକାରୀଙ୍କୁ ମୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଶେଖ ମହମ୍ମଦ ନାହାୟାନ।