ଶ୍ରୀନଗର: ପହଲଗାମ ଆକ୍ରମଣର ସପ୍ତାହକ ମଧ୍ୟରେ ଜମ୍ମୁ-କାଶ୍ମୀରର ୪୮ଟି ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରିଦିଆଯାଇଛି । ପହଲଗାମର ବୈସାରନ୍ ଘାଟି ଠାରେ ଗତ ୨୨ ତାରିଖରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ପ୍ରାଣ ହରାଇବା ପରେ ଭାରତ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଜମ୍ମୁ କାଶ୍ମୀରର ପର୍ଯ୍ୟଟନ ଶିଳ୍ପ ପ୍ରଭାବିତ ହୋଇଛି ସତ କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ଆତଙ୍କବାଦଜନିତ ଆଶଙ୍କାରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ମୂଳ ପ୍ରାଥମିକତା ହୋଇଥିବାରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ଚାରିଆଡୁ ସ୍ୱାଗତ କରାଯାଇଛି ।
ରିପୋର୍ଟ ଅନୁସାରେ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ଥିବା ୮୭ ପର୍ଯ୍ୟଟନସ୍ଥଳ ମଧ୍ୟରୁ ୪୮ଟିକୁ ସାମୟିକ ଭାବେ ବନ୍ଦ କରିଦେଇଛନ୍ତି । ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସରକାର ଏପ୍ରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏସବୁ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଶାନ୍ତ ଉପତ୍ୟକା ଏବଂ ମନୋରମ ପର୍ବତ ପାଇଁ ଜଣାଶୁଣା । ସୁରକ୍ଷା ଚିନ୍ତା ମଧ୍ୟରେ ଏହି ପ୍ରତିରୋଧକ ପଦକ୍ଷେପ ନିଆଯାଇଛି । ବଡଗାମର ଦୁଧପତ୍ରି ଏବଂ ଅନନ୍ତନାଗର ଭେରିନାଗ ଭଳି ଅନେକ ପର୍ଯ୍ୟଟନ ସ୍ଥଳକୁ ଏହି ବନ୍ଦ ହୋଇଥିବା ୪୮ଟି ପର୍ଯ୍ୟଟନସ୍ଥଳୀ ତାଲିକାରେ ସ୍ଥାନିତ କରାଯାଇଛି । ସରକାର ବନ୍ଦ କରିଥିବା ପର୍ଯ୍ୟଟନସ୍ଥଳଗୁଡ଼ିକ ମଧ୍ୟରେ ୟୁସମାର୍ଗ, ଟଉସ ମଇଦାନ, ଦୁଦ୍ଧପଥରୀ, ଆହାରବଲ, କୌସରନାଗ, ବାଙ୍ଗୁସ, କାରିୱାନ, ବାଙ୍ଗୁସ ଭ୍ୟାଲି, ୱତଲାବ, ରାମପୋରା, ରାଜପୁରା, ଚିରହାର ଆଦି ପ୍ରମୁଖ ରହିଛି ।
ହତ୍ୟାକାଣ୍ଡ ପରେ ଭୟଭୀତ ହୋଇ ପର୍ଯ୍ୟଟକମାନେ ଏବେ ଜମ୍ମୁ କାଶ୍ମୀର ଛାଡି ପଳାୟନ କରୁଛନ୍ତି । ସେହିପରି ଯେଉଁମାନେ ଆଗକୁ ଏଠାକୁ ଆସିବା ପାଇଁ ବୁକିଂ କରିଥିଲେ ସେମାନେ ମଧ୍ୟ ନିଜ ପର୍ଯ୍ୟଟନ ଯୋଜନାକୁ ରଦ୍ଦ କରୁଛନ୍ତି, ହୋଟେଲ ବୁକିଂଗୁଡ଼ିକ ବାତିଲ କରୁଛନ୍ତି । ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ, ପହଲଗାମ ସହରରେ ପର୍ଯ୍ୟଟକଙ୍କ ସହିତ ଏକ ଚଳଚଞ୍ଚଳ ବଜାର ଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟଟକଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି । ଅନ୍ୟପକ୍ଷେ ସ୍ଥାନୀୟ ଲୋକମାନେ ଭୟ କରୁଛନ୍ତି ଯେ ପର୍ଯ୍ୟଟନ ହ୍ରାସ ସେମାନଙ୍କ ଆୟ ଏବଂ ଜୀବିକାର ଉତ୍ସ ଉପରେ ଏକ ବଡ଼ ପ୍ରଭାବ ପକାଇବ ।