ସରକାରୀ ବସରେ ହେଉଥିଲା ଗଞ୍ଜେଇ ଚାଲାଣ । ୪୦ କେଜି ଗଞ୍ଜେଇ ସହ ନଗଦ ୨୩ ହଜାର ଜବତ । ବସ କଣ୍ଡକ୍ଟର ସମେତ ୪ ଜଣଙ୍କୁ ଗିରଫ କଲା ପୋଲିସ । ଜୟପୁର – ରାଉରକେଲା ବସରେ କଣ୍ଡକ୍ଟର କରୁଥିଲେ ଗଞ୍ଜେଇ ଚାଲାଣ । କୌଣସି ସୂତ୍ରରୁ ସୁନ୍ଦରଗଡ଼ ଟାଉନ ଥାନା ପୋଲିସ ବସରୁ କଣ୍ଡକ୍ଟର ରୂପକ ମିଶ୍ରଙ୍କ ସହ ଅନ୍ୟ ଭବାନୀପାଟଣା ଅଞ୍ଚଳର ୩ଜଣ ଯୁବକ ମହମ୍ମଦ ସଦ୍ଦାମ, ମୁନାୱର୍ ଅଲି ଏବଂ ଏମଡି ତାସିବଙ୍କୁ ଗିରଫ କରିଛି । ୪ଟି ବ୍ୟାଗ ଧରି ଆମ୍ବିଆନ୍ସ ଛକର ଏକ ଜଳଖିଆ ଦୋକାନ ନିକଟରେ ବସରୁ ଓହ୍ଲାଇଥିଲେ ଏହି ୪ଜଣ । ପୋଲିସ କଣ୍ଡକ୍ଟର ରୂପକର ମୋବାଇଲ ନମ୍ବର ପାଇ ତାକୁ ଟ୍ରାକ କରି ସେଠାରେ ଚଢ଼ାଉ କରି ୪ ଜଣଙ୍କୁ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪୦ କେଜି ଗଞ୍ଜେଇ ସହ ନଗଦ ୨୩ ହଜାର ୨୯୦ ଟଙ୍କା ଏବଂ ୪ଟି ମୋବାଇଲ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦୁଇଲକ୍ଷ ହେବ ବୋଲି ସୂଚନା ମିଳିଛି ।