ସଂଚାର ବ୍ୟୁରୋ: ଆସନ୍ତାକାଲି ଚିତାଲାଗି ଅମାବାସ୍ୟା ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର । ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି କାରଣରୁ ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ଣ ୨ଟା ୩୦ରୁ ସଂଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଆସନ୍ତାକାଲି ମହାପ୍ରଭୁଙ୍କ ମସ୍ତକରେ ସୁବର୍ଣ୍ଣ ଚିତା ଲାଗି ହେବ। ଭୋଗ ମଣ୍ଡପ ଶେଷ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତିମାନେ ମହାପ୍ରଭୁଙ୍କ ମସ୍ତକରୁ ସ୍ନାନପୂର୍ଣ୍ଣିମା ଦିନ ଖୋଲାଯାଇଥିବା ରତ୍ନ ଚିତାକୁ ଦଇତାପତିମାନେ ଏହି ଦିନ ଲଗାଇଥାନ୍ତି । ଜଗନ୍ନାଥଙ୍କୁ ଶୁଭ୍ର ହୀରା ,ବଳଭଦ୍ରଙ୍କୁ ନୀଳା ଓ ସୁଭଦ୍ରାଙ୍କୁ ଦୁର୍ମୂଲ୍ୟ ପାନ୍ନା ଖଚିତ ରତ୍ନଚିତା ଲାଗି ହେବ ।
ଖବର ଅନୁଯାୟୀ, ସ୍ନାନପୂର୍ଣ୍ଣମୀରେ ଅତ୍ୟଧିକ ସ୍ନାନ ହେତୁ ମହାପ୍ରଭୁ ଅଣସର ପିଣ୍ଡିରେ ଜ୍ବରରେ ପୀଡିତ ହୋଇପଡିଥିବା ବେଳେ ସୁବର୍ଣ୍ଣ ଖଚିତ ଚିତାକୁ କାଢ଼ି ଦିଆଯାଇଥିଲା । ସେହି ଚିତାକୁ ଭଣ୍ଡାର ଘରେ ସୁରକ୍ଷିତ ରଖାଯାଇଥିବା ବେଳେ ଆଜି ଅମାବାସ୍ୟା ତିଥିରେ ଭଣ୍ଡାର ଘରୁ ଅଣାଯାଇ ମହାପ୍ରଭୁଙ୍କ ଶ୍ରୀମସ୍ତକରେ ଲାଗି କରାଯିବ । ଏହା ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ନୀତି ପରେ ଆପାତଃ ଦିନ ୨ଟା ୩୦ ରୁ ସନ୍ଧ୍ୟା ୬ଟା ୩୦ମଧ୍ୟରେ ଚିତା ଲାଗି କରାଯିବ । ଏହି ସମୟରେ ସାଧାରଣ ଦର୍ଶନ ପ୍ରାୟ ୪ ଘଣ୍ଟା ଧରି ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ତେବେ ଏହି ସମୟରେ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରି ପାରିବେ ଭକ୍ତ ।