ସଂଚାର ବ୍ୟୁରୋ: ମାଂସ ଖାଇଲେ, ପରିବାର ବୁଡ଼ିଗଲା । ଗୋଟିଏ ପରିବାରର ୪ ଜଣଙ୍କ ମୃତୁ୍ୟ । କର୍ଣ୍ଣାଟକର ରାଇଚୁର ଜିଲ୍ଲାରେ ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ସନେ୍ଦହ କରାଯାଉଛି । ଏଥିରେ ଆଉ ଜଣେ ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଜିଲ୍ଲାର କାଲୁର ଗ୍ରାମରେ ଘଟିଛି। ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ମୃତକମାନେ ହେଲେ ଭୀମନ୍ନା (୬୦), ତାଙ୍କ ପତ୍ନୀ ଏରମା (୫୭), ପୁଅ ମଲେଶ (୨୧) ଏବଂ ଝିଅ ପାର୍ବତୀ (୧୯) । ୨୩ ବର୍ଷର ଝିଅ ମଲ୍ଲମା ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଗୁରୁବାର ସନ୍ଧ୍ୟାରେ ଭୀମାନ୍ନା ଘରକୁ ଛେଳି ମାଂସ ଆଣିଥିଲେ। ତାହାକୁ ରନ୍ଧା ଯାଇଥିଲା। ପରିବାରର ୫ ସଦସ୍ୟ ଏକାଠି ବସି ଚପାତି, ସାଲାଡ, ଛେଳିମାଂସ ତରକାରୀ ଖାଇଥିଲେ। ପରେ ମଧ୍ୟରାତ୍ରିରେ ସେମାନେ ଅସହଜ ଅନୁଭବ କରିଥିଲେ। ଧୀରେ ଧୀରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଖବରପାଇ ପଡ଼ୋଶୀ ଲୋକେ ସେମାନଙ୍କୁ ରାଇଚୁର ଡାକ୍ତରଖାନାକୁ ନେଇଥିଲେ।
ହେଲେ ଭୋର ପ୍ରାୟ ୩ଟାରେ ବାଟରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ଏହା ଆତ୍ମହତ୍ୟା ବୋଲି ପ୍ରଚାର ହୋଇଥିଲା। କିନ୍ତୁ ରାଇଚୁର ଡିସିପି ଏହାକୁ ଖଣ୍ଡନ କରିଛନ୍ତି। ଖାଦ୍ୟରେ କୌଣସି ପ୍ରକାର କ୍ଷତିକାରକ ବିଷାକ୍ତ ଦ୍ରବ୍ୟ ଯୋଗୁ ଏହି ଘଟଣା ଘଟିଥିବା କହିଛନ୍ତି। ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ହାଇଦ୍ରାବାଦସ୍ଥିତ ଫୋରେନସିକ ପରୀକ୍ଷାଗାରକୁ ପଠାଯାଇଛି।