ସଂଚାର ବ୍ୟୁରୋ: ନନ୍ଦାହାଣ୍ଡି ବ୍ଲକରେ ଡାଇରିଆରେ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ। ନନ୍ଦାହାଣ୍ଡି ବ୍ଲକ ଝାଡ଼ବନ୍ଦଗୁଡା ପଞ୍ଚାୟତର ଦଣ୍ଡସେନାଗୁଡା ଗ୍ରାମରେ ତିନି ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି।
ତେବେ ଏଡିଏମଓଙ୍କ କହିବା ଅନୁସାରେ, ଜଣେ ଝାଡ଼ାବାନ୍ତିରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବିଭିନ୍ନ ସ୍ଥାନରୁ ପାଣି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ପାଣି ପରୀକ୍ଷା ରିପୋର୍ଟ ଆସିବା ପରେ ଅଧିକ ଚିକିତ୍ସା କରାଯିବ।
ଝାଡ଼ାବାନ୍ତିରେ ମୃତ୍ୟୁ ଘଟଣାକୁ ସ୍ବାସ୍ଥ୍ୟ ବିଭାଗ ଅସ୍ବୀକାର କରିଛି। କଳାଝାଡ଼ା ହେବାପରେ ଜଣେ ମୃତ୍ୟୁବରଣ କରିଛନ୍ତି। ଯାହା ଡାଇରିଆର ଲକ୍ଷଣ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ନବକିଶୋର ବେହେରା କହିଛନ୍ତି, ନାବାଳିକା ଜାନକୀଙ୍କ ଆପେଣ୍ଡିକ୍ସ ଫାଟିଯିବାରୁ ମୃତ୍ୟୁ ହୋଇଛି। ଆଜି ଗାଁରେ ପରିସ୍ଥିତି ଅନୁଧ୍ୟାନ ସମୟରେ ଜଣେ ମାତ୍ର ମହିଳା ଆକ୍ରାନ୍ତ ହୋଇଥିଲା ବେଳେ ତାଙ୍କୁ ଚିକିତ୍ସା କରାଯାଉଛି। ଅନ୍ୟ କାହା ନିକଟରେ ଝାଡ଼ାବାନ୍ତିର ଲକ୍ଷଣ ଦେଖିବାକୁ ମିଳିନଥିଲା।
ସେହିପରି ଜଣେ ୮ବର୍ଷର ଅସୁସ୍ଥ ଶିଶୁର ଚିକିତ୍ସା ଦିଶାରୀ ଦ୍ବାରା କରାଯାଉଥିଲା। ପରିବାର ଲୋକଙ୍କୁ ବୁଝାସୁଝା କରି ଡାକ୍ତରୀ ଟିମ୍ ଚିକିତ୍ସା କରିଥିଲେ। ଗାଁର ସମସ୍ତ କୂଅକୁ ବିଶୋଧନ କରାଯାଇଛି। ତେବେ ବସୁଧା ଯୋଜନାରେ ମାସେ ହେଲା ଗାଁରେ ଜଳ ଯୋଗାଣ ବନ୍ଦ ରହିଛି। ନଳକୂପ ପାଣି ପିଇବା କାରଣରୁ ଝାଡ଼ାବାନ୍ତି ବ୍ୟାପିଥିବା ସନ୍ଦେହ କରାଯାଉଛି। ତେଣୁ ନଳକୂପ ପାଣି ନମୁନା ସଂଗ୍ରହ କରାଯାଇଛି।