ସଂଚାର ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ଭୋଗିଥିବା ଜଗନ ମୋହନ ରେଡ୍ଡୀଙ୍କୁ ପୁଣି ଏକ ବଡ଼ ଝଟକା ଲାଗିଛି । ଗୁରୁବାର ୱାଇଏସଆର କଂଗ୍ରେସର ଦୁଇ ଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦେଇଛନ୍ତି । ବିଧା ମସ୍ତାନ ରାଓ ଯାଦବ ଏବଂ ଭେଙ୍କଟରମଣା ରାଓ ମୋପିଦେବୀ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି ।
ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉପରାଷ୍ଟ୍ରପତି ଦୁଇ ସାଂସଦଙ୍କ ଇସ୍ତଫା ପତ୍ର ସ୍ୱୀକାର କରିଛନ୍ତି ।
ଭେଙ୍କଟରମଣା ରାଓ ମୋପିଦେବୀ ରାଜ୍ୟସଭାର ସଦସ୍ୟତା ଛାଡ଼ିବା ପୂର୍ବରୁ ୱାଇଏସଆରସିପି ଛାଡ଼ୁଥିବା ସ୍ପଷ୍ଟ କରିଥିଲେ । ଭେଙ୍କଟରମଣାଙ୍କ କାର୍ଯ୍ୟକାଳ ୨୦୨୬ ଯାଏ ଥିବା ବେଳେ ତା’ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଶିଳ୍ପପତିରୁ ରାଜନେତା ହୋଇଥିବା ବିଧା ମସ୍ତାନ ରାଓ ଏବଂ ମୋପିଦେବୀ ଖୁବଶୀଘ୍ର ଟିଡିପିରେ ଯୋଗ ଦେଇପାରନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଦୁହେଁ ଭେଟି ଦଳରେ ସାମିଲ ହେବା ପାଇଁ ଇଚ୍ଛାବ୍ୟକ୍ତ କରିଥିବା କୁହାଯାଉଛି । ଉପନର୍ବାଚନରେ ବିଧା ମସ୍ତାନ ରାଓଙ୍କୁ ପୁଣି ଥରେ ରାଜ୍ୟସଭା ପାଇଁ ପ୍ରାର୍ଥୀ କରାଯାଇପାରେ । ତେବେ ମୋପିଦେବୀ ବିନା କୌଣସି ସର୍ତ୍ତରେ ଟିଡିପିରେ ସାମିଲ ହୋଇପାରନ୍ତି ।
ବର୍ତ୍ତମାନ ସମୟରେ ରାଜ୍ୟସଭାରେ ଟିଡିପିର କୌଣସି ସାଂସଦ ନାହାନ୍ତି । ୱାଇଏସଆରସିପି ସାଂସଦଙ୍କ ଇସ୍ତଫା ପରେ ଟିଡିପି ପୁଣି ଥରେ ରାଜ୍ୟସଭାରେ ଏଣ୍ଟ୍ରି କରିବ । ରାଜ୍ୟସଭା ଉପନିର୍ବାଚନରେ ଟିଡିପି ସମସ୍ତ ଆସନରେ ବିଜୟୀ ହେବା ନିଶ୍ଚିତ । ତେବେ ଗତ ବିଧାନସଭା ନିର୍ବାଚନରେ ଟିକଟ ନପାଇବା ପରଠୁ ମୋପିଦେବୀ ପାର୍ଟି ନେତୃତ୍ୱକୁ ନେଇ ଅସନ୍ତୁଷ୍ଟ ଥିଲେ । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଘନିଷ୍ଠ ଥିଲେ ମୋପିଦେବୀ । ୨୦୧୨ରେ ଜଗନ ରେଡ୍ଡୀଙ୍କ ବେଆଇନ ସମ୍ପତ୍ତି ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ପ୍ରଥମ ମନ୍ତ୍ରୀ ଥିଲେ ମୋପିଦେବୀ । ହେଲେ ଏବେ ସମୟ ବଦଳିଛି । ମୋପିଦେବୀଙ୍କ ସମେତ ବିଧା ମସ୍ତାନ ରାଓ ଓ୍ବାଇଏସଆର କଂଗ୍ରେସ ଛାଡ଼ି ଟିଡିପିରେ ଯୋଗ ଦେଇପାରନ୍ତି ।

