ଭାରତ ଓ ଆମେରିକା ତିକ୍ତ ସମ୍ପର୍କ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପ ଦେଇଥିବା ମନ୍ତବ୍ୟ ଊପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ଵପୂର୍ଣ୍ଣ କହିଛନ୍ତି । ଆଗକୁ ବୈଶ୍ଵିକ ହିତ ପାଇଁ ସକରାତ୍ମକ ଭାବେ ଭାରତ ଓ ଆମେରିକା କାମ କରିବେ ବୋଲି ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଭାରତ ଓ ଆମେରିକା ସମ୍ବନ୍ଧ ଦେଇ ପ୍ରଧାନମନ୍ତ୍ରୀ ମୋଦି ପୋଷ୍ଟ କରି ଲେଖିଛନ୍ତି, ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଓ ଦୁଇ ଦେଶ ମଧ୍ୟରେ ସମ୍ପର୍କ ପ୍ରତି ସକରାତ୍ମକ ଆକଳନର ପ୍ରଶଂସା କରୁଛି । ଭାରତ ଓ ଆମେରିକା ମଧ୍ୟରେ ବହୁତ ସକରାତ୍ମକ, ଦୂରଦର୍ଶୀ ଏବଂ ବୈଶ୍ଵିକ ରଣନୀତିକ ବୁଝାମଣା ରହିଛି ।
ଟ୍ରମ୍ପଙ୍କ ବୟାନର ଠିକ୍ ପରେ ଏହି ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂର୍ବରୁ ଟ୍ରମ୍ପ କହିଥିଲେ, ଭାରତ ଓ ଆମେରିକା ସମ୍ପର୍କ ବେଶ ସ୍ଵତନ୍ତ୍ର । ଟ୍ରମ୍ପ କହିଥିଲେ, ତିକ୍ତତା ପରେ ବି ପ୍ରଧାନମନ୍ତ୍ରୀ ମୋଦି ମୋର ବନ୍ଧୁ ରହିବେ । ପିଏମ୍ ମୋଦି ଜଣେ ଭଲ ପ୍ରଧାନମନ୍ତ୍ରୀ, ଜଣେ ମହାନ ନେତା ।
ଆମେରିକା ରାଷ୍ଟ୍ରପତି ଆହୁରି କହିଥିଲେ ଯେ, ଋଷ ଠାରୁ ଭାରତ ଅଶୋଧିତ ତୈଳ କିଣୁଥିବାରୁ ମୁଁ ନିରୁତ୍ସାହିତ । ଏଥିପାଇଁ ହିଁ ୫୦ ପ୍ରତିଶତ ଟାରିଫ୍ ଲଗାଇଛି । କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋର ସମ୍ପର୍କ ଭଲ ଅଛି । ସେ କିଛି ମାସ ତଳେ ଏଠାକୁ ଆସିଥିଲେ, ଆମେ ରୋଜ୍ ଗାର୍ଡେନ୍ ଯାଇଥିଲୁ, ସାମ୍ବାଦିକ ସମ୍ମିଳନୀ କରିଥିଲୁ ।

