ଗୋଟିଏ ବଂଶର ହୋଇ ପରସ୍ପରକୁ ଭଲ ପାଇ ବିବାହ କରିବା ପ୍ରେମୀଯୁଗଳଙ୍କୁ ମହଙ୍ଗା ପଡ଼ିଛି। ଜାତି ସମାଜର କଙ୍ଗାରୁ କୋର୍ଟରେ ଉଭୟ ଦଣ୍ଡିତ ହୋଇଛନ୍ତି। ଦଣ୍ଡ ସ୍ୱରୂପ କ୍ଷେତରେ ବଳଦ ସାଜି ଉଭୟେ ହଳ କରିଛନ୍ତି। ସେତିକିରେ ସମାଜର ମୁଖିଆଙ୍କ ମନ ଶାନ୍ତ ପଡ଼ିଲାନି। ଉଭୟଙ୍କୁ ଗାଁରୁ ତଡ଼ିଦେଲେ। ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଈ ପଞ୍ଚାୟତ କଞ୍ଜାମଯୋଡ଼ି ଗାଁରେ।
ସୋସିଆଲ ମିଡିଆରେ ଏସଂକ୍ରାନ୍ତ ଏକ ଭିଡିଓ ଭାଇରାଲ୍ ହେବା ପରେ ଏହି ଘଟଣା ପଦାକୁ ଆସିଛି। ପ୍ରେମୀଯୁଗଳଙ୍କ ଭୁଲ ଥିଲା ଉଭୟ ଗୋଟିଏ ବଂଶର। ସମ୍ପର୍କରେ ଆତା (ପିଉସୀ ନାନୀ) ଓ ପୁତୁରା ଅଟନ୍ତି। ଆଦିବାସୀ ପରମ୍ପରା ଅନୁଯାୟୀ ଗୋଟିଏ ବଂଶର ହୋଇଥିଲେ ରକ୍ତ ସମ୍ପର୍କ କାରଣରୁ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିବେ ନାହିଁ। କିନ୍ତୁ କଞ୍ଜାମଯୋଡ଼ି ଗ୍ରାମର ମୁଗି ସାରାକଙ୍କ ବଡ଼ପୁଅ କାଡ଼ିଆ ସାରକାଙ୍କ ସହ ବେତକଲାଙ୍ଗରେ ରହୁଥିବା ମୁଗୀଙ୍କ ଭଉଣୀ ଲାକ ସାରକାଙ୍କ ପ୍ରେମ ସମ୍ପର୍କ ରହିଥିଲା। ଦିନେ ଉଭୟଙ୍କୁ ଏକତ୍ରିତ ଥିବା ଗାଁ ଲେକେ ଦେଖିଥିଲେ।
ଏହାକୁ ନେଇ ଗାଁ କୁଟୁମ୍ୱ ବୈଠକ ବସି ଉଭୟଙ୍କୁ ପରମ୍ପରା ଅନୁସାରେ ଦଣ୍ଡ ଶୁଣାଇଥିଲେ। ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁଯାୟୀ ଗ୍ରାମ ଧରଣୀ ଠାରେ ପୂଜାପାଠ କରିବା ପରେ ବଳଦ ସ୍ଥାନରେ ଗୋଟିଏ ପଟେ ପୁଅ ଓ ଅନ୍ୟ ପଟେ ଝିଅ କାନ୍ଧରେ ଯୁଆଳି ପକାଇ କ୍ଷେତକୁ ନେଇ ଜମି ହଳ କରାଇଥିଲେ। ଉଭୟଙ୍କ ଅନିଚ୍ଛା ସତ୍ତେ୍ୱ ଧମକଚମକ ଦେଇ ହଳ କରାଇଥିଲେ ଗାଁ ଲୋକେ। କେବଳ ଏତିକିରେ ସୀମିତ ନଥିଲା ଗ୍ରାମବାସୀ ତଥା ଜାତି ସମାଜର ଦଣ୍ଡ। ସେମାନଙ୍କ ଠାରୁ କିଛି ଟଙ୍କା ଆଦାୟ କରି ଗ୍ରାମ ଛାଡିବା ପାଇଁ ବାଧ୍ୟ କରିଥିଲେ। ଫଳରେ ପ୍ରେମୀଯୁଗଳ ଗ୍ରାମ ଛାଡି ଅନ୍ୟତ୍ର ଚାଲିଯାଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଗ୍ରାମର ବିଶ୍ୱନାଥ କୃଷିକା, ୱାର୍ଡ ସଦସ୍ୟ ଶ୍ୟାମଧର ମିଣିଆକା, ପୁରନ୍ଧର ଓ ସୁବାଶିନୀ ରଣା ପ୍ରମୁଖ ପ୍ରେମୀଯୁଗଳ କିଛି ଦିନ ପାଇଁ ବାହାରେ ରହିବା ପରେ ଫେରିଆସିବେ ବୋଲି କହିଛନ୍ତି। ଏ ନେଇ ପୁଲିସରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।

