ସଂଚାର ବ୍ୟୁରୋ: ୨୦୨୫ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ରଥ କାଠ ଚୟନ ଗଛକଟା ନେଇ ଅନୁକୂଳ ନିମନ୍ତେ ମହାପ୍ରଭୁଙ୍କ ମାଳ ମହାର୍ଦ ନେଇ ନୟାଗଡ଼ ଗସ୍ତ କରିଛନ୍ତି ୩ ଜଣିଆ ଟିମ୍ । ୩ ରଥର ମୁଖ୍ୟ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ନୟାଗଡ଼ ବନଖଣ୍ଡ ଅଧିନ ମାଆ ବଡରାଉଳ ଠାକୁରାଣୀଙ୍କ ପୀଠକୁ ଯାତ୍ରା କରିଛନ୍ତି । ମହାପ୍ରଭୁଙ୍କ ଲାଗି ମାଳମହାର୍ଦ, ଖଣ୍ଡୁଆ, ଧୂପ, ଦୀପ, ନଡ଼ିଆ ଆଦି ପୂଜା ସାମଗ୍ରୀ ସାଙ୍ଗରେ ନେଇ ଯାଇଛନ୍ତି । ଆସନ୍ତାକାଲି ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ୩ରଥ ପାଇଁ ୩ଟି କାଠ ଚିହ୍ନଟ କରାଯିବ । ଏହାପରେ ପରମ୍ପରା ଅନୁସାରେ ଚି଼ହ୍ନଟ ହୋଇଥିବା ରଥକାଠ କଟାଯିବ । କଟା ଯାଇଥିବା ୩ଟି କାଠକୁ ଶ୍ରୀପଞ୍ଚମୀ ପୂର୍ବରୁ ଶ୍ରୀକ୍ଷେତ୍ରକୁ ପଠାଯିବ ଏବଂ ଵିଧି ଅନୁସାରେ ଶ୍ରୀପଞ୍ଚମୀ ଦିନ ରଥକାଠ ପୂଜା ଅନୁଷ୍ଠିତ ହେବ l ତେବେ ରଥ ନିର୍ମାଣରେ ଫାସୀ, ଅସନ, ଧଉରା ଆଦି କାଠ ବ୍ଯବହାରର ନଜରରେ ରଖି ରଥ କାଠ ସଂଗ୍ରହ କରାଯିବ l ଅନ୍ୟପକ୍ଷରେ ଆଜି ଶ୍ରୀମନ୍ଦିର ଅରୁଣସ୍ତମ୍ବ ନିକଟରୁ ମହାପ୍ରଭୁଙ୍କୁ ପ୍ରଣାମ କରି ରଥ ତତ୍ତ୍ୱାବଧାରକ, ଅମିନ ଓ ଭୋଇସର୍ଦ୍ଦାର ନୟାଗଡ ଗସ୍ତ କରିଛନ୍ତି । ତେବେ ଗତବର୍ଷ ୫୧ ଖଣ୍ଡ କାଠ ବଳକା ଥିବାରୁ ଆସନ୍ତା ରଥନିର୍ମାଣ ପାଇଁ ୮୧୪ ଖଣ୍ଡ କାଠର ଆବଶ୍ୟକତା ରହିଛି ।

