ସଂଚାର ବ୍ୟୁରୋ: ବହରାଇଚ ହିଂସାକାଣ୍ଡ ଘଟଣାରେ ୨ ଅଭିଯୁକ୍ତଙ୍କ ଏନକାଉଣ୍ଟର। ଅଭିଯୁକ୍ତ ସରଫରାଜ ଏବଂ ତାଲିମକୁ ଏନକାଉଣ୍ଟର କରିଛି ୟୁପି ପୋଲିସ। ଜଣଙ୍କର ବାମ ଏବଂ ଅନ୍ୟ ଜଣଙ୍କର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ହୋଇ ଉଭୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ନେପାଳ ଫେରାର ଉଦ୍ୟମବେଳେ ଉଭୟଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ। ମାମଲାରେ ଆଜି ମୋଟ ୫ ଜଣ ଗିରଫ ହୋଇଛନ୍ତି। ଗିରଫମାନେ ହେଲେ ମହମ୍ମଦ ଫହିନ, ମହମ୍ମଦ ତାଲିମ, ମହମ୍ମଦ ସରଫରାଜ, ଅବଦୁଲ ହମିଦ ଏବଂ ମହମ୍ମଦ ଅଫଜଲ। ରାମଗୋପାଳଙ୍କୁ ହତ୍ଯା କରିଥିବା ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ। ପୋଲିସ ସେମାନଙ୍କୁ ଧରିବାକୁ ଉଦ୍ୟମ କରିବାବେଳେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଅଭିଯୁକ୍ତ। ରବିବାର ହିଂସାକାଣ୍ଡ ଘଟିଥିବାବେଳେ ୪ ଦିନ ପରେ ଆଜି ଇଣ୍ଟରନେଟ୍ ସେବା ଚାଲୁ କରିଦିଆଯାଇଛି। ଲୋକଙ୍କୁ ଗୁଜବ ଠାରୁ ଦୂରେଇ ରହିବାକୁ ପରାମର୍ଶ କରିଛି ପ୍ରଶାସନ। ହିଂସା ପ୍ରଭାବିତ ମହାରାଜଗଂଜ ବଜାରରେ ସ୍ଥିତି ଫେରାଇ ଆଣିବାକୁ ପ୍ରୟାସ କରାଯାଉଛି। ହିଂସାର ୪ ଦିନ ପରେ କିଛି ମାତ୍ର ଦୋକାନ ଖୋଲିଥିବା ଦେଖିବାକୁ ମିଳିଛି। ଘଟଣାରେ ପୂର୍ବରୁ ୫୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।.. ଗତ ରବିବାର ବହରାଇଚରେ ଦୁର୍ଗାପୂଜା ଭସାଣକୁ ନେଇ ଦେଖାଦେଇଥିଲା ବିବାଦ। ଏଥିରେ ୨୨ ବର୍ଷୀୟ ଯୁବକ ରାମଗୋପାଳ ମିଶ୍ରାଙ୍କୁ ହତ୍ଯା କରିଥିଲେ ଦୁର୍ବୃତ୍ତ। ଜଳାପୋଡ଼ା ଆଉ ଭଙ୍ଗାରୁଜା କରିଥିଲେ। ସୋରୁମ, ଦୋକାନ ଓ ହସ୍ପିଟାଲରେ ନିଆଁ ଲଗାଇ ଦେଇଥିଲେ।ଏହାପରେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ବ୍ଯାପକ ଫୋର୍ସ ମୁତୟନ କରାଯାଇଥିଲା।