ଖରାଦିନ ଆରମ୍ଭ ନହେଉଣୁ ଦେଖାଦେଲାଣି ଜଳଶଙ୍କଟ । ଗାଁରେ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ରହିଛି ପାଣିଟାଙ୍କି l କିନ୍ତୁ ଅପରେଟରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ରାଇବୋଲ ଗ୍ରାମବାସୀ l ଏହି ଗାଁରେ ସରକାରଙ୍କ ତରଫରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପାଣିଟାଙ୍କି ନିର୍ମାଣ ସହ ସାହି, ସାହି ରେ ଟ୍ୟାପ ଲଗାଯାଇଛି l କିନ୍ତୁ ପାଣି ଯୋଗାଇବା କାର୍ଯ୍ୟରେ ନିୟୋଜିତ ଅପରେଟର ଠିକ ସମୟରେ ପାଣି ଯୋଗାଉ ନଥିବା ଅଭିଯୋଗ ହୋଇଛି l କେତେବେଳେ ସକାଳୁ ଘଣ୍ଟାଏ ପାଣି ଚଲାଇ ବନ୍ଦ କରି ଦେଉଛନ୍ତି ତ’ ଅନ୍ୟ ସମୟରେ ଦିନ ଦିନ ଧରି ଲୋକମାନେ ପାଣି ଟୋପାଏ ପାଉନାହାନ୍ତି l ତେଣୁ ବାଧ୍ୟ ହୋଇ ଗ୍ରାମର ମହିଳାମାନେ ଗରା, ବାଲଟି ଧରି ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିବା ସହ ସରପଞ୍ଚଙ୍କୁ ତୁରନ୍ତ ପାଣି ଯୋଗାଇବା ପାଇଁ ଦାବି କରିଛନ୍ତି l ତେବେ କିପରି ଲୋକମାନେ ସୁବିଧାରେ ପାଣି ପାଇପାରିବେ ସେ ନେଇ ଶୀଘ୍ର ବ୍ୟବସ୍ଥା କରାଯିବାକୁ ସରପଞ୍ଚ କହିଛନ୍ତି l