ଭୁବନେଶ୍ୱର: ଅସହ୍ୟ ଶୀତରେ ଥରୁଛି ସାରା ଓଡିଶା। ପ୍ରବଳ ଥଣ୍ଡା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । କଲବଲ କରୁଛି ଘନ କୁହୁଡ଼ି । ୧୦ ଡିଗ୍ରୀ ତଳେ ରାଜ୍ୟର ୧୩ ସହରର ପାରଦ । ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। ଗତକାଲି ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ସେହିପରି ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ, ଝାରସୁଗୁଡ଼ା, ରାଉରକେଲା ଓ କୋରାପୁଟରେ ୭, ସେମିଳିଗୁଡ଼ାରେ ୭.୫, କିରେଇରେ ୮.୩, ନବରଙ୍ଗପୁରରେ ୮.୫ ଓ ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଥିଲା ।
ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଆଜି ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାରେ ସକାଳ ସମୟରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି
