ଶୁକ୍ରବାର ଦିନ ମଥୁରାର ବୃନ୍ଦାବନରେ ଯମୁନା ନଦୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ପଣ୍ଟୁନ୍ ବ୍ରିଜ୍ ନିକଟରେ ଭକ୍ତମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଏବେ ବି ଆହୁରି ଅନେକ ଲୋକ ନିଖୋଜ ଥିବା ଖବର ସାମ୍ନାକୁ ଆସିଛି ।
ଯମୁନା ନଦୀରେ ଏହି ଅଘଟଣାର ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରେସ୍କ୍ୟୁ ଟିମ୍ ନିଖୋଜମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ମଥୁରା ଜିଲ୍ଲା ପ୍ରଶାସନର ଉଚ୍ଚ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି ।
ସେପଟେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୃନ୍ଦାବନରେ ଡଙ୍ଗା ବୁଡ଼ି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
