ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ କମ୍ ହେବାରେ ନାଁ ଧରୁନି । ଦିଲ୍ଲୀରେ ଆଜି ଏକ୍ୟୁଆଇ ୪୦୦ ପାର୍ କରିଛି । ଯାହା ବହୁତ ଗମ୍ଭୀର । ପ୍ରଦୂଷଣ ରୋକିବାକୁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି, ହେଲେ ସଫଳ ହେଉନାହିଁ । ଘନ କୁହୁଡି ଓ ଥଣ୍ଡାରେ ଜବଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦେଶର ଉତ୍ତରାଞ୍ଚଳର ଅଧିକାଂଶ ଅଞ୍ଚଳ ବର୍ତ୍ତମାନ କୁହୁଡ଼ିରେ ଆଚ୍ଛାଦିତ ରହିଛି । ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ପରିସ୍ଥିତି ଭୟଙ୍କର । ଘନ କୁହୁଡ଼ି ଏବଂ ପ୍ରଦୂଷଣ ଯୋଗୁଁ ୟେଲୋ ଆଲର୍ଟ ଜାରି କରାଯାଇଛି ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଡିସେମ୍ବର ୧୯ ତାରିଖରେ ରାଜଧାନୀର AQI 346 ରେକର୍ଡ କରାଯାଇଥିଲା । ଦିଲ୍ଲୀର ୧୪ଟି ଅଞ୍ଚଳରେ AQI ୪୦୦ ଉପରେ ପହଞ୍ଚିଛିଲା, ଯାହା ବାୟୁ ଗୁଣବତ୍ତାକୁ ଅତ୍ୟନ୍ତ ଖରାପ ବର୍ଗରେ ରହିଛି । ପାଟପରଗଞ୍ଜରେ AQI ୪୭୦ ରେକର୍ଡ କରାଯାଇଛି । ଦିଲ୍ଲୀରେ ଧୀର ପବନ ଏବଂ ଘନ କୁହୁଡ଼ି ପ୍ରଦୂଷଣକୁ ଆହୁରି ଖରାପ କରୁଛି ।
ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହିବେ । ଅନେକ ସ୍ଥାନରେ ଦୃଶ୍ୟମାନତା ୧୦୦ ମିଟରରୁ କମ୍ ରହିବ । ଏହା ସିଧାସଳଖ ସଡ଼କ, ରେଳ ଏବଂ ବିମାନ ଚଳାଚଳ ସହିତ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରୁଛି ।
ଡିସେମ୍ବର ୧୮ ତାରିଖରେ ଦିଲ୍ଲୀରେ ସବୁଠାରୁ ଥଣ୍ଡା ଦିନ ରେକର୍ଡ କରାଯାଇଥିଲା । ସର୍ବାଧିକ ତାପମାତ୍ରା ୨୦.୧ ଡିଗ୍ରୀ ସେଲସିୟସ୍ ଥିଲା, ଯାହା ସ୍ୱାଭାବିକ ଠାରୁ ୨.୧ ଡିଗ୍ରୀ କମ୍ ଥିଲା, ଯେତେବେଳେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ୍ ଥିଲା ।
ପାଣିପାଗ ବିଭାଗ ଅନୁଯାୟୀ, ପଞ୍ଜାବରୁ ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ବିହାର ପର୍ଯ୍ୟନ୍ତ ଘନ କୁହୁଡ଼ିର ଆସ୍ତରଣ ଜମିଛି । ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ପ୍ରଦୂଷଣ ସ୍ତର ବର୍ତ୍ତମାନ ପାଇଁ ଅଧିକ ରହିବ । ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ପ୍ରଦୂଷଣରୁ ମୁକ୍ତି ପାଇବାର କୌଣସି ଆଶା ନାହିଁ ।
ଦିଲ୍ଲୀ ସରକାର ଜାତୀୟ ରାଜଧାନୀରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ପ୍ରମୁଖ ହେଉଛି ନୋ ପିୟୁସି, ନୋ ଇନ୍ଧନ ନିୟମ ଲାଗୁ କରାଯାଇଛି ।

