ସଂଚାର ବ୍ୟୁରୋ: ହାରିଲା ଅନ୍ଧବିଶ୍ୱାସ ଜିତିଲା ପ୍ରଶାସନ । ବିଡିଓଙ୍କ ଉଦ୍ଯମ ପାଇଁ ବଞ୍ଚିଗଲା ଜୀବନ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦଣ୍ଡସେନାଗୁଡା ଗାଁରେ ନନ୍ଦାହାଣ୍ଡି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ମହାନତା ଦେଖିବାକୁ ମିଳିଛି । ଗାଁରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ୪ଦିନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅନ୍ଧବିଶ୍ବାସକୁ ଭରସା କରି ଅନ୍ଯ ଆକ୍ରାନ୍ତ ଡାକ୍ତରଖାନା ଯାଉନଥିଲେ । ଘର ଗୋଡ଼ କାଢିଲେ ମୃତ୍ଯୁ ହେବ ବୋଲି ସମସ୍ତେ ଆଶଙ୍କା କରି ଡାକ୍ତରଖାନା ଯାଉନଥିଲେ । ଘର ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଥିଲେ ଝାଡ଼ାବାନ୍ତି ଆକ୍ରାନ୍ତ । ଡାକ୍ତରୀ ଦଳ ରୋଗୀଙ୍କୁ ଦୁଇଦିନ ଧରି ବୁଝାଉଥିଲେ ମଧ୍ଯ କୌଣସି ସୁଫଳ ମିଳୁନଥିଲା । ଡାକ୍ତରଖାନା ନଯିବା ଜିଦରେ ଅଟଳ ରହିଥିଲେ ଆକ୍ରାନ୍ତ । ଆଜି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଗାଁକୁ ଯାଇ ସମସ୍ତଙ୍କୁ ବୁଝାସୁଝା କରିଥିଲେ । ପରେ ନିଜ ହାତରେ ୭ ବର୍ଷର ଆକ୍ରାନ୍ତ ଶିଶୁ ଓ ତାର ମାଆକୁ ଗାଡ଼ିରେ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ । ସବୁ ରୋଗୀଙ୍କୁ ମେଡିକାଲରେ ସୁରକ୍ଷିତ ଚିକିତ୍ସା କରିବାକୁ ପ୍ରତିଶୃତି ଦେଇଥିଲେ । ପରେ ସମସ୍ତ ରୋଗୀଙ୍କୁ ଡଙ୍ଗରଭେଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଡିଓଙ୍କର ଏଭଳି କାର୍ଯ୍ୟକୁ ସବୁଠି ପ୍ରଶଂସା କରାଯାଇଛି ।