ସଂଚାର ବ୍ୟୁରୋ: ପୁଣି ଚର୍ଚ୍ଚାରେ ଟ୍ରେନି ଆଇଏଏସ ଅଫିସର ପୂଜା ଖେଡକର। ଆଗୁଆ ଜାମିନ ନମିଳିବାରୁ ଦେଶ ଛାଡିଲେ ପୂଜା । ସେ ଏବେ ଦୁବାଇ ଚାଲିଯାଇଥିବା କୁହାଯାଉଛି। ଗୁରୁବାର ଦିଲ୍ଲୀର ପଟିଆଲା ହାଉସ କୋର୍ଟ ପୂଜାଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିବା ପରେ ଏହି କଳ୍ପନାଜଳ୍ପନା କରାଯାଉଛି। କୋର୍ଟ କହିଛନ୍ତି ଯେ ତାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି, ଯାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆବଶ୍ୟକ। ଏହି ମାମଲାର ଶୁଣାଣି କରି ଅତିରିକ୍ତ ସେସନ୍ସ ଜଜ୍ ଦେବେନ୍ଦ୍ର କୁମାର ଜଙ୍ଗଲା କହିଛନ୍ତି ଯେ ଏହି ଷଡଯନ୍ତ୍ରର ସତ ଜାଣିବା ପାଇଁ ଓ ଏଥିରେ ଜଡିତ ଥିବା ଅନ୍ୟମାନଙ୍କ ବିଷୟରେ ଜାଣିବା ପାଇଁ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ପଚରାଉଚରା କରିବାର ଆବଶ୍ୟକତା ରହିଛି। ଏହି ଘଟଣାର ତଦନ୍ତକୁ ଆହୁରି ଅଧିକ କରିବା ପାଇଁ ଅନୁସନ୍ଧାନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।
କହିରଖୁଛୁ କି, ଟ୍ରେନି ଆଇଏଏସ ଅଫିସର ପୂଜା ଖେଡକରଙ୍କୁ ଜୋରଦାର ଝଟକା ଲାଗିଛି । ୟୁପିଏସ୍ସି ପରୀକ୍ଷାରେ ଜାଲିଆତି ଅଭିଯୋଗରେ ଆଇଏଏସ ପଦ ହରାଇଛନ୍ତି ପୂଜା ଖେଡକର। ଏହାପରେ ଗିରଫଦାରୀକୁ ଏଡାଇବା ପାଇଁ ସେ ଦୁବାଇ ଚାଲିଯାଇଥିବା ଜଣାଯାଇଛି। ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଯଦି ରିପୋର୍ଟଗୁଡିକ ସତ ହୁଏ ତେବେ ଅଧିକାରୀମାନେ ତାଙ୍କୁ ଧରିବା ପାଇଁ ଅନ୍ତର୍ଜାତୀୟସ୍ତରରେ ତଲାସୀ ଅଭିଯାନ ଆରମ୍ଭ କରିବେ ।