ସଂଚାର ବ୍ୟୁରୋ: ଥମିବାର ନାଁ ଧରୁନି ଆମେରିକା ଲସ୍ ଆଞ୍ଜେଲସର ଭୟଙ୍କର ନିଆଁ। ଏବେ ସୁଦ୍ଧା ଜଙ୍ଗଲ ନିଆଁରେ ଗଲାଣି ୨୪ ଜୀବନ। ୧୨ ହଜାରରୁ ଅଧିକ ଘର ଜଳି ଯିବା ସହ କିଛି ପୋଡ଼ି ପାଉଁଶ ହୋଇଯାଇଛି। ଲସ ଆଞ୍ଜେଲସରେ ୩୭ ହଜାର ଏକରରୁ ଅଧିକ ଅଂଚଳରେ ଲାଗିଛି ଏହି ନିଆଁ। ଦୀର୍ଘ ୬ ଦିନ ହେଲାଣି ଏହି ଜଙ୍ଗଲ ନିଆଁ ଲାଗିଛି। ତେବେ ଲାଗିଥିବା ନିଆଁ ମଧ୍ୟରୁ ୧୧ ପ୍ରତିଶତ ଅଂଚଳରେ ନିଆଁ ନିୟନ୍ତ୍ରଣକୁ ଆସିଛି। କାଲିଫର୍ଣ୍ଣିଆର ଫର୍ଣ୍ଣେଣ୍ଡୋ ଉପତ୍ୟକା ଅଚଂଳରେ ଅଗ୍ନି ଘୂର୍ଣ୍ଣିବଳୟ ଦେଖିବାକୁ ମିଳିଛି। ହଲିଉଡର ଆନ୍ଥନୀ ହପକିନ୍ସ, ପେରିସ ହିଲଟନ, ମେଲ ଗିବସନ, ବିଲି କ୍ରିଷ୍ଟଲଙ୍କ ସମେତ ଅନେକ ନାମୀଦାମୀ ଅଭିନେତା ଓ ଅଭିନେତ୍ରୀଙ୍କ ଘର ପୋଡ଼ି ନଷ୍ଟ ହୋଇଯାଇଛି। ତେବେ ପବନ କମିଥିବାରୁ ନିଆଁ ଲିଭାଇକୁ ଅଗ୍ନିଶମବାହିନୀକୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ତେବେ ଗତକାଲି ରାତିରୁ ବୁଧବାର ପର୍ଯ୍ୟନ୍ତ ପୁଣିଥରେ ପବନର ବେଗ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏମିତି ହେଲ ଆଗକୁ ନିଆଁ ଆହୁରି ବଢିବ। ପବନର ବେଗ ଘଣ୍ଟାପ୍ରତି ୯୬ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅଗ୍ନିକାଣ୍ଡର କାରଣ ନେଇ ତନାଘନା ଆରମ୍ଭ ହୋଇଛି। ଜଙ୍ଗଲ ନିଆଁ ଅନେକ ସମୟରେ ପ୍ରାକୃତି ହୋଇଥିବାବେଳେ ଲସ ଆଞ୍ଜେଲସର ଏହି ନିଆଁ କେହି ଲଗାଇଥିବା ସନ୍ଦେହ କରାଯାଉଛି। ଆମେରିକାର ସିନେ ନଗରୀ ହଲିଉଡ ପୁରା ଧ୍ଵସ୍ତ ବିଧ୍ଵସ୍ତ ହୋଇଯାଇଛି। ସହରର ପୁଣିଥରେ ପୁନଃନିର୍ମାଣ କରାଯିବ ବୋଲି କହିଛନ୍ତି କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗୋବିନ ନ୍ୟୁସୋମ। ପୂର୍ବରୁ ସହରର ଉନ୍ନତୀକରଣ ନେଇ ଯୋଜନା ଚାଲିଥିବାବେଳେ ଏହି ଅଗ୍ନିକାଣ୍ଡ ପରେ ସହରରେ ପୁଣିଥରେ ଜନବସତି ସ୍ଥାପନ କରିବାକୁ ଉଦ୍ୟମ କରାଯିବ।