ସଂଚାର ବ୍ୟୁରୋ: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାରକୁ ନେଇ ବିବାଦ ଥମି ନ ଥିବା ବେଳେ ଆଉ ଜଣେ ଭକ୍ତ ଏକ ନୂଆ ଅଭିଯୋଗ ଆଣିଛନ୍ତି। ଜଣେ ଭକ୍ତ ଏବେ ଦାବି କରିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ତିରୁମାଲା ମନ୍ଦିରରେ ସେମାନଙ୍କୁ ଦିଆଯାଇଥିବା ପ୍ରସାଦରେ ପୋକ ବାହାରିଛି । ତେବେ ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଏଭଳି ଦାବିକୁ ଖାରଜ କରିଛି ।
ସୂଚନାଯୋଗ୍ୟ, ଏଭଳି ଘଟଣା ସାମ୍ନାକୁ ଅଆସିବା ପରେ ଭକ୍ତ ଜଣଙ୍କ କହିଛନ୍ତି ଯେ, ‘ଏହା ଗ୍ରହଣୀୟ ନୁହେଁ ଏବଂ ଟିଟିଡି କର୍ତ୍ତୃପକ୍ଷଙ୍କ ଅବହେଳାକୁ ପ୍ରତିଫଳିତ କରୁଛି । ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ’ ।
ସେ କହିଛନ୍ତି, ୱାରଙ୍ଗାଲରୁ ଦର୍ଶନ ପାଇଁ ଆସିଥିଲି । ମୁଁ ମୁଣ୍ଡନ କରିବା ପରେ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲି । କିନ୍ତୁ ଭୋଜନ ସମୟରେ ପ୍ରସାଦରେ ଏକ ପୋକ ଦେଖିବାକୁ ପାଇଥିଲି । ଏ ନେଇ ମୁଁ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ କହିଥିଲି, କିନ୍ତୁ ସେମାନଙ୍କ ଯାହା ପ୍ରତିକ୍ରିୟା ରଖିଥିଲେ ତାହା ପୋକଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା ବୋଲି ଭକ୍ତଜଣକ କହିଥିଲେ । ସେମାନେ କହିଥିଲେ ବେଳେବେଳେ ଏହା ଘଟେ ।